ଐତିହାସିକ ବାଲିଯାତ୍ରାରେ ଆକର୍ଷଣ ସାଜିଛି ବାଲୁକା କଳା

 ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ବୁଲିବାକୁ କାହିଁ କେଉଁଆଡୁ ଲୋକ ଧାଇଁ ଆସନ୍ତି। ମହାଦେଶର ସବୁଠାରୁ ବଡ଼ ଖୋଲା ଆକାଶ ବାଣିଜ୍ୟ ମେଳା ବୁଲି ମଜା ନେଉଛନ୍ତି ଦର୍ଶକ । ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ଼  । ତେବେ ଏହାକୁ ଅଧିକ ଆକର୍ଷଣ କରିଛି ବାଲୁକା କଳା ପ୍ରଦର୍ଶନ । ଦର୍ଶକଙ୍କ ମନ ମୋହିବା ପାଇଁ ବାଲିଯାତ୍ରାରେ ଝଟକୁଛି ବାଲୁକା କଳା । ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଲୋକାଭିମୁଖୀ କରିବା ପାଇଁ ଚଳିତବର୍ଷ ବାଲିଯାତ୍ରାରେ ବାଲୁକା ଶିଳ୍ପ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । 300 ଟନ ବାଲିରେ ତିଆରି ହୋଇଛି ସୁନ୍ଦର ବାଲୁକା କଳା ।  35ଫୁଟ ଉଚ୍ଚ ଓ 100 ଫୁଟ ଲମ୍ବର ଏହି ବାଲୁକା କଳା ପାଖରେ ଅଟକି ସେଲଫି ନେଉଛନ୍ତି ଲୋକେ। ଏଲଇଡି ଲାଇଟରେ ଏହାକୁ ସଜା ଯାଇଥିବାରୁ ଏହା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । 

ବାଲିଯାତ୍ରାର ଆଉ ଏକ ଆକର୍ଷଣ ହେଉଛି ଉତ୍କଳର ପୁରୁଣା ଗାଥାକୁ ବହନ କରୁଥିବା ଆର୍ଟ ଗ୍ୟାଲେରୀ । ଏହି ଗ୍ୟାଲେରୀ ସ୍ଥାନ ପାଇଛି ଭଳିକି ଭଳିକି 60ଟି ଫଟୋ।  ସେହିପରି ଅନ୍ୟ ଏକ ଆକର୍ଷଣ ହେଉଛି ସ୍ମୋକ ଆର୍ଟ । ଡିବି ଧୂଆଁରେ ଚିତ୍ର ଆଙ୍କି ଲୋକଙ୍କ ମନ କିଣିଛନ୍ତି କଟକ ପୁଅ ଦୀପକ ବିଶ୍ବାଳ । ଯାହାକୁ ଦେଖିବା ପାଇଁ ଲାଗୁଛି ଲମ୍ବା ଲାଇନ। 8 ଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବରେ ଝଲସୁଛି କଟକ ସହର । ସନ୍ଧ୍ୟା ହେଲେ ବାଲିଯାତ୍ରା ପଡିଆରେ ଜମୁଛି ଲୋକଙ୍କ ଭିଡ଼। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post