ପାଣି ଗରାଏ ପାଇଁ କଲବଲ ଗ୍ରାମବାସୀ

 ଅର୍ଗସ ବ୍ୟୁରୋ: ପାଣି ଗରାଏ ପାଇଁ କଲବଲ ଗ୍ରାମବାସୀ। ଅସହ୍ୟ ତାଟିରେ ପାଣି ଟିକିଏ ମିଳୁନି । ଡହ ଡହ ଖରାରେ ହାତରେ ମୁଣ୍ଡରେ ଗରା ଓ ମାଠିଆ ଧରି ଗାଁ ର ମହିଳା, ବୃଦ୍ଧା ସାନ ଝିଅମାନେ ମଧ୍ୟ ଲମ୍ବା ଲାଇନ ଲଗାଇଛନ୍ତି । ଗାଁ ଠାରୁ ଦୂରରେ ଥିବା ଏକ ପଥର କୂଅରୁ ଜଳ ସଂଗ୍ରହ କରି ଘରକୁ ବୋହି ଆଣୁଛନ୍ତି । 



ଏ ଚିତ୍ର ହେଉଛି କ୍ୟାବିନେଟର ପାୱାର ଫୁଲ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କ ନିର୍ବାଚନ ମଣ୍ଡଳୀ। ମୁଜାଗଡ଼ ପଞ୍ଚାୟତ ଡାଙ୍ଗୁଆପଲ୍ଲୀର ଦୃଶ୍ୟ । ଗାଁ ମୁହଁରେ ବସୁଧା ଯୋଜନାରେ ଜଳଯୋଗାଣର ଫଳକ ଲାଗିଛି ହେଲେ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ସୋଲାରରେ ଜଳଯୋଗାଣ ବ୍ୟବସ୍ଥା ଗତ ପାଞ୍ଚବର୍ଷ ହେଲା ଅଚଳ ହୋଇ ପଡିଛି । ଏବେ ଗାଁରେ ମିଳୁନି ପାଣି । ନଳକୂଅକୁ ବାଡେଇଲେ ଦୀର୍ଘ ସମୟରେ ମିଳୁଛି ବାଲଟିଏ ପାଣି ତାହା ମଧ୍ୟ କଳଙ୍କି ଯୁକ୍ତ ଯାହା ବ୍ୟବହାରରେ ଆସୁନି। ଏଭଳି ପରିସ୍ଥିତିରେ ଏବେ ଗ୍ରାମବାସୀଙ୍କ ଜଳ କଷ୍ଟ କହିଲେ ନସରେ । ଶୁଣନ୍ତୁ କଣ କହୁଛନ୍ତି ଗାଁ ମହିଳା ।

ନିର୍ବାଚନ ଆସିଲେ ଗାଁରେ ନେତାଙ୍କୁ ମିଳୁଛି ପୁଳା ପୁଳା ପ୍ରତିଶ୍ରୁତି। ହେଲେ ପର ମୁହୁର୍ତ୍ତରେ ପ୍ରତିଶ୍ରୁତି ପାଲଟୁଛି ପ୍ରତାରଣା । ଜଳ ଯୋଗାଣ କରିବା ତ ଦୂରର କଥା ଗାଁରେ ନେତାଙ୍କ ପାଦ ପଡୁନି। ଗାଁରେ ପାଣି ସମସ୍ୟା ପାଇଁ ଗାଁର ନୂଆବୋହୂ ମାନେ ଶାଶୁଘର ଗାଁରୁ ମୁଁହ ଫେରାଉଛନ୍ତି । ଅନ୍ୟପକ୍ଷରେ ପରିତ୍ୟକ୍ତ କୂଅ ଜଳକୁ ପାନୀୟ ଓ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରୁଥିବାରୁ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପାଣି ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଦୁଃଖ ବୁଝୁନାହାନ୍ତି । ଏଥର ଗ୍ରାମବାସୀ ଏକଜୁଟ ହୋଇ ନିଷ୍ପତ୍ତି ନେଇଛନ୍ତି ଏଥର ପାଣି ନାହିଁତ ଭୋଟ ନାହିଁ । ଭୋଟ ପୂର୍ବରୁ ଜଳଯୋଗାଣ ଵ୍ୟଵସ୍ଥା ନ ହେଲେ ସମୂହ  ଗ୍ରାମବାସୀ ଭୋଟ ବର୍ଜନ କରିବେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post