ଅର୍ଗସ ବ୍ୟୁରୋ : ପୁରୀରେ ୟୁନାଇଟେଡ଼ କିଙ୍ଗଡମର ବିଦେଶୀ ପର୍ଯ୍ୟଟକ ବିଶୃଙ୍ଖଳା ସୃଷ୍ଟି କରିବା ଘଟଣା । ଥୋମାସ୍ କ୍ରେଗ୍ ସେଲଡନଙ୍କୁ ଚିକିତ୍ସା ପାଇଁ ପୋଲିସ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରିଛି । ପୁରୀ ପୋଲିସ ତାଙ୍କ ଦେଶର ଆମ୍ବାସୀଙ୍କ ସହ ଯୋଗାଯୋଗ ଅଛନ୍ତି, ଏନେଇ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି ।
ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ପର୍ଯ୍ୟଟକ ଜଣଙ୍କ ଗତ ଶନିବାର ଦିନ ସ୍ଵର୍ଗଦ୍ଵାରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ପୋଲିସ ପହଞ୍ଚି ତାଙ୍କୁ ସମୁଦ୍ରକୂଳ ଥାନାକୁ ଆଣିଥିଲା । ବଳିଆପଣ୍ଡା ଅଞ୍ଚଳରେ ଥୋମାସ୍ କ୍ରେଗ୍ ସେଲଡନ୍ ଏକ ଆଶ୍ରମରେ ରହୁଛନ୍ତି । ପୋଲିସଠୁ ଖବର ପାଇ ଆଶ୍ରମ ପରିଚାଳକ ସମୁଦ୍ରକୂଳ ଥାନାକୁ ଆସି ଏକ ଅଣ୍ଡର ଟେକିଂ ଲେଖି ବିଦେଶୀ ପର୍ଯ୍ୟଟକଙ୍କୁ ସାଙ୍ଗରେ ନେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପରେ ପୁଣିଥରେ ବିଦେଶୀ ପର୍ଯ୍ୟଟକ ଜଣକ ଆଶ୍ରମରୁ ଚାଲି ଆସି ଶ୍ରୀମନ୍ଦିର ଭିତରେ ପଶିଥିବାବେଳେ ବେହରଣ ଦ୍ବାର ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା । ବିଦେଶୀ ପର୍ଯ୍ୟଟକ ଜଣକ ପୋଲିସ ଓ ସେବାୟତଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୋଲିସ ତାଙ୍କୁ ଅଧିକ ପଚରାଉଚରା ପାଇଁ ଟାଉନ ଥାନାକୁ ଆଣିଥିଲା । ଥାନାରେ ବିଦେଶୀ ପର୍ଯ୍ୟଟକ ଜଣକ ହଙ୍ଗାମା କରିବା ସହ ଥାନା କବାଟର କାଚକୁ ଭାଙ୍ଗି ଦେଇଥିବାରୁ ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା । ଏନେଇ ତାଙ୍କ ଚିକିତ୍ସା ଚାଲିଛି ।
