ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶରେ ବଡ଼ଘରଣର ଅଘଟଣ । ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ । ଯାହାକୁ ନେଇ ସୀତାପୁରର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । କାହିଁକି ଏଭଳି ଘଟଣା ଘଟିଲା ତାହାକୁ ନେଇ ଏବେ ଚର୍ଚ୍ଚା । ଗୋଟିଏ ପରିବାରର ମା, ପତ୍ନୀ ଏବଂ ପିଲାମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ମା’ଙ୍କୁ ଗୁଳି କରି ହତ୍ୟା କରିବା ପରେ ପତ୍ନୀଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି ।
ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଘଟିଛି ଏଭଳି ଘଟଣା । ଗାଁର ଅନୁରାଗ ସିଂହ ଗତ ରାତିରେ ନିଜ ହାତରେ ନିଜ ପରିବାରକୁ ଛାରଖାର କରି ଦେଇଛନ୍ତି । ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ । ଏହାପରେ ନିଜର ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ସୀତାପୁର ଏସଏସପି ଚକ୍ରେଶ ମିଶ୍ର କହିଛନ୍ତି, ଆଜି ମଥୁରାର ରାମପୁର ଥାନାକୁ ଘଟଣା ସମ୍ପର୍କରେ ଖବର ଆସିଥିଲା । ତଦନୁଯାୟୀ, ୪୫ ବର୍ଷୀୟ ଅନୁରାଗ ସିଂ ନାମକ ଜଣେ ମାନସିକ ରୋଗରେ ପିଡିତ ବ୍ୟକ୍ତି ନିଜକୁ ଗୁଳି କରି ମାରିବା ପୂର୍ବରୁ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏବଂ ଏଫଏସଏଲ ଟିମ୍ ତଦନ୍ତ କରୁଛି ।
