ଅର୍ଗସ ବ୍ୟୁରୋ: ଆଇନକୁ ହାତକୁ ନେଇ ବିଜେଡି ପାଇଁ କାମ କରୁଥିଲେ। ଏବେ ଧରାପଡ଼ିଲେ। ଜଣଙ୍କୁ ତଡ଼ିପାର ନିର୍ଦ୍ଦେଶ ଆଉ ଜଣଙ୍କର ହେବ ମେଡିକାଲ ଟେଷ୍ଟ। ସିଏମଓର ଦୁଇ ବରିଷ୍ଠ ଆଇପିଏସଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନେଇଛନ୍ତି କଡ଼ା ଆଭିମୁଖ୍ୟ। ଆଇପିଏସ୍ ଡି.ଏସ୍. କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଥାଇ ନିର୍ବାଚନ ତନ୍ତ୍ରକୁ କରୁଥିଲେ ପ୍ରଭାବିତ। ଏହି ଅଧାରରେ କୁଟ୍ଟେଙ୍କୁ ନିଲମ୍ବନ ସହ ଓଡ଼ିଶାରୁ ତଡିପାର ଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବୁଧବାର ଅପରାହ୍ନ 3ଟା ଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ କାର୍ଯ୍ୟାଳୟରେ ହାଜର ହେବାକୁ କୁଟ୍ଟେଙ୍କୁ ଦିଆଯାଇଥିଲା ନିର୍ଦ୍ଦେଶ। ସେହିପରି ଆଇପିଏସ୍ ଆଶିଷ ସିଂହ 30 ତାରିଖ ସୁଦ୍ଧା ଭୁବନେଶ୍ବର ଏମସର ସ୍ବତନ୍ତ୍ର ମୋଡିକାଲ ବୋର୍ଡର ସାମ୍ନା କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଆଶିଷଙ୍କ ବିରୋଧରେ ଅଭିଯୋଗ ରହିଛି ସେ ମିଛ ମେଡିକାଲ ଲିଭରେ ରହି କରୁଥିଲେ ବିଜେଡିର ନିର୍ବାଚନ ପରିଚାଳନା।
ଦୁଇ ଆଇପିଏସଙ୍କ ଉପରେ ଆକ୍ସନକୁ ନେଇ ବିଜେଡିରେ ହୋଇଛି କମ୍ପନ। ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ସପକ୍ଷରେ ସଫେଇ ଦେବାକୁ ସାମ୍ନାକୁ ଆସିଛନ୍ତି ବିଜେଡିର ଅଘୋଷିତ ଉତ୍ତରାଧିକାରୀ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍। କହିଛନ୍ତି ସେମାନଙ୍କର ନକ୍ସଲ ଦମନରେ ଥିଲା ବଡ଼ ଭୂମିକା। ଯାହାର କାଉଣ୍ଟର କରିଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ।ବିଜେଡିର ନମ୍ବର ଦୁଇ ଷ୍ଟାର ପ୍ରଚାରକ ଭାରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ହାତରେ ଏବେ ବିଜେଡିର ନିର୍ବାଚନ ଡୋରୀ। ଅଭିଯୋଗ ଥିଲା ପାଣ୍ଡିଆନ୍ଙ୍କ ନେତୃତ୍ବରେ କୁଟ୍ଟେ ଓ ଆଶିଷ ସିଂହଙ୍କ ତତ୍ବାବଧାନରେ ହେଉଥିଲା ବିଜେଡିର ନିର୍ବାଚନ ରଣନୀତି ଓ ପ୍ରଚାର। ଏବେ ପ୍ରଶ୍ନ କୁଟ୍ଟେ ଓ ଆଶିଷ ସିଂହଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଭାଙ୍ଗିଦେବ କି ବିଜେଡିର ରଣନୀତି ? ଉପରୁ ତଳ ଯାଏଁ କର୍ମଚାରୀଙ୍କ ମନରେ ସୃଷ୍ଟି କରିବ କି କୋକୁଆ ଭୟ ? ଏସପି କଲେକ୍ଟରମାନେ ନିଜର ଭବିଷ୍ୟତ ନେଇ ଗଣିବେ କି ପ୍ରମାଦ ? ଏସପି କଲେକ୍ଟରଙ୍କ ଅବସ୍ଥା ଦେଖି ବିରିମାଡ଼ରେ କୋଳଥ ଚେପା ହେବା ନୀତିରେ ଥାନା, ବ୍ଲକ୍, ତହସିଲ ଓ ପଞ୍ଚାୟତର କର୍ମଚାରୀ ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ଦେବେକି ଛତ୍ରଭଙ୍ଗ ?
ବିଜେଡିର ଏକ୍ସପାରୀ ଡେଟ୍ ସହ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ତାରିଖ ଜୁନ୍ 10 ବୋଲି ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି ସ୍ଥିତିରେ25 ବର୍ଷ ପରେ ପାଣ୍ଡିଆନଙ୍କ ପ୍ରତି ଅତ୍ୟଧିକ ମୋହ ଯୋଗୁଁ ପ୍ରତ୍ୟାଖ୍ୟାତ ହେବେ କି ନବୀନ ? ପାଣ୍ଡିଆନଙ୍କ ପାଇଁ ଓଡ଼ିଆ ସଂସ୍କୃତି, ସ୍ବାଭିମାନ, ଭାଷା ଓ ଅସ୍ମିତାର ଲଢେଇ ନବୀନଙ୍କ ପାଇଁ ହେବ କି କାଳ ?
ଅଧିକ ପଢ଼ନ୍ତୁ ଓଡିଶା ଖବର:
