ପ୍ରଦୀପଙ୍କ ପରେ କିଏ ହେବ ସିଏସ୍‌ ?

 ଅର୍ଗସ ବ୍ୟୁରୋ : ସରକାର ବଦଳିଲା, ମୁଖ୍ୟ ସାଚନ ସଚିବ ଏବେ ହେବ କିଏ ? ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । କାରଣ ଏଇ ମାସ ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ସେ ଯିବା ପରେ ତାଙ୍କ ସ୍ଥାନରେ ନୂଆ ଶାସନ ସଚିବ ହେବ କିଏ ? ତାହାକୁ ନେଇ ଆରମ୍ଭ ହେଲାଣି ମାନସମନ୍ଥନ । ସିଏସ୍‌ ଦୌଡ଼ରେ ଅନେକ ଥିଲେ ବି ଜଣେ ଓଡ଼ିଆ ଅଧିକାରୀଙ୍କୁ ଦାୟିତ୍ୱ ମିଳିବା ନେଇ ହେଉଛି ଆଲୋଚନା ।

ରାଜ୍ୟରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଏବେ ଜୋର । ଗତ ବର୍ଷ ଡିସେମ୍ବରରେ ପ୍ରଦୀପଙ୍କ କାର୍ଯ୍ୟକାଳ ସରିଥିଲା । ମାତ୍ର ସେତେବେଳେ ନବୀନ ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢାଇଥିଲେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ହେଲେ ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ପ୍ରଦୀପଙ୍କୁ ଆଉ ଏକ୍ସଟେନସନ୍ ମିଳିବ ନା ନାହିଁ ତା'କୁ ନେଇ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ । ଆଉ ଯଦି ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପାଆନ୍ତି ତାହାଲେ ରେସ୍‌ରେ ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର SRC ସତ୍ୟବ୍ରତ ସାହୁ ଓ ଉନ୍ନୟନ କମିଶନର ଅନୁ ଗର୍ଗ ଆଗରେ ରହିଛନ୍ତି । ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜବିହାରୀ ଧଳଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଉଛି । ହେଲେ ଏନେଇ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସରକାର ବଦଳିବା ପରେ ନୂଆ ସରକାର ଏବେ ପୁରା ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ତେଣୁ ଆଲୋଚନା ହେଉଛି କି, ପୁରା ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ଦାୟିତ୍ୱ ମିଳିପାରେ । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ନବୀନ ସରକାରର ଅଫିସର ରାଜୁତି କାଳିମାକୁ ପୋଛିବା ପ୍ରଥମ ଲକ୍ଷ୍ୟ ରହିଛି । ତେଣୁ ରାଜ୍ୟର ମୁଖ୍ୟ ସଚିବ କିଏ ହେଉଛି ତାହା ଉପରେ ପୁରା ରାଜ୍ୟର ନଜର ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ସରକାର ବଦଳିବା ପରେ ଅନେକ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ତେଣୁ ଗୁରୁତ୍ଵପୂର୍ଣ୍ଣ ମୁଖ୍ୟ ସଚିବ ପଦରେ କିଏ ବସୁଛି ତାହା ଉପରେ ନଜର । ୨୪ ବର୍ଷ ସରକାରରେ ଅଫିସର ରାଜ ବଢିଥିଲା ଏଥିରେ କୌଣସି ଦ୍ଵିମତ ନାହିଁ । ତେଣୁ ସେ ଶାସନରେ ଯବନିକା ପକାଇବାକୁ ନୂଆ ସରକାର କି କି ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର ।

Post a Comment (0)
Previous Post Next Post