ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଞ୍ଜୁରୀ

 ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ 16 ଜଣିଆ ତଦାରଖ କମିଟି ଦ୍ବାରା ସ୍ଥିର ତାରିଖ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ତଦାରଖ କମିଟି ଦ୍ଵାରା ପ୍ରସ୍ତୁତ ଏସଓପି ଉପସ୍ଥାପନ କରାଯାଇଛି । ଏସଓପି ଉପରେ ବିଶେଷ ଆଲୋଚନା ପରେ ଏଥିରେ ଅତିରିକ୍ତ ପ୍ରସ୍ତାବ ମାନ ସଂଯୋଗ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଚୁଡାନ୍ତ ଏ ସ୍ ଓ ପି କୁ ରାଜ୍ୟ ସରକାରଙ୍କ ଅବଗତି ଓ ଅନୁମତି ପାଇଁ ପଠାଯାଇଛି।  

ଆସନ୍ତା 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଥିଲା । ହାଇଲେବୁଲ୍  କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟି ମଞ୍ଜୁରୀ ଦେଇଛି। ପରିଚାଳନା କମିଟିର ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଆସନ୍ତା 14 ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି, କେବେ ଖୋଲାଯିବ ସେ ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ରତ୍ନ ଭଣ୍ଡାର ଖୋଲିବା ସମୟ ରେ ନୀତି ସୁପରିଚାଳନା ,ରତ୍ନ ଅଳଙ୍କାର ସୁରକ୍ଷା , ମରାମତି ପରେ ଗଣତି ଆଦି କୁ ତଦାରଖ କରିବା ପାଇଁ ସବ୍ କମିଟି ଗଠନ କରିବାକୁ ପ୍ରସ୍ତାବ ମାନ ଦିଆଯାଇଛି। 

ସେପଟେ ଗତକାଲି ପହଣ୍ଡି ସମୟରେ ହୋଇଥିବା ଅଘଟଣ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି ଘଟଣାର ତଦନ୍ତ ପାଇଁ 3 ଜଣିଆ କମିଟିର ଗଠନ କରାଯାଇଛି। ଜଣେ ଏଡିଏମ୍, ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସପି ରହିବେ। ଭିଡିଓ ଫୁଟେଜ୍ ସହ ସମସ୍ତ ଦିଗକୁ ଦେଖି ତଦନ୍ତ କରି ରିପୋର୍ଟ ଦେବେ। ନୀଳାଦ୍ରି ବିଜେର 10 ଦିନ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବ। 

ବୈଠକ ପରେ ଗଜପତି କହିଛନ୍ତି ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ ଓ ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସଂଖ୍ୟାରେ ସେବାୟତ ରହୁଛନ୍ତି। ଏ ଘଟଣାର ପୁନରାବୃତ୍ତି ନ ହେବା ଉପରେ ଗୁରୁତ୍ବ ଦିଆଯାଇଛି। ଏ ସମ୍ପର୍କରେ ନୀଳାଦ୍ରି ବିଜେ ପରେ ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହେବ। ଆଗାମୀ ରଥଯାତ୍ରାରେ ଯେପରି ଏମିତି ନ ହେବ ସେ ନେଇ ନିଷ୍ପତ୍ତି ନିଆଯିବ। 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post