ଅର୍ଗସ ବ୍ୟୁରୋ: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ । ଭୟଭୀତ ଅବସ୍ଥାରେ କୁନି କୁନି ଛାତ୍ରଛାତ୍ରୀ । ଖାଦ୍ୟକୁ ବାହାରେ ଫିଙ୍ଗି ତଦନ୍ତ ଦାବି କଲେ ଅଭିଭାବକ ଓ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ବାସୁଦେବପୁର ପୌରପାଳିକାର 2 ନମ୍ବର ୱାର୍ଡରେ ଥିବା ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପାଇଁ ଭଦ୍ରକର ଏକ ସେବାୟତନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଆଜି ବିଦ୍ୟାଳୟରେ ସଂସ୍ଥା ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ ଦିଆଯାଇଥିଲା । ପିଲାମାନଙ୍କୁ ଖାଦ୍ୟ ଦିଆଯିବା ପରେ ଖାଉଥିବା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କ ଖାଦ୍ୟରୁ ଗୋଟିଏ ଶିଝିଲା ଜୋକ ବାହାରଥିଲା।
ଫଳରେ ଛାତ୍ରଛାତ୍ରୀ ମାନେ ଭୟଭୀତ ହେଇ ଖାଦ୍ୟକୁ ଫିଙ୍ଗି ଦେଇଥିଲେ । ଏମିତିକି କିଛି ଦିନ ପୂର୍ବରୁ ମଧ୍ୟ ଖାଦ୍ୟରୁ ପୋକ ବାହାରିଥିଲା । ଯାହାକୁ ନେଇ ଅଭିଭାବକ ମାନେ ବିଦ୍ୟାଳୟରେ ହୋହଲା କରିଥିଲେ ଓ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଦାୟିତ୍ୱରେ ଥିବା ସଂସ୍ଥା ନିମ୍ନ ମାନର ଖାଦ୍ୟ ଯୋଗାଉଥିବା ଅଭିଯୋଗ କରି ତୁରନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବା ସଂସ୍ଥାକୁ ବନ୍ଦ କରିବା ସହ ତଦନ୍ତ ପାଇଁ ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
