NEWS HIGHLIGHTS
- ପୁଣି ଟାସ୍କ ଦେଲେ ନଡ୍ଡା
- ଲୋକଙ୍କ ସହ ଯୋଡିହୁଅ, ସୋସିଆଲ ମିଡିଆରେ ସକ୍ରିୟ ରୁହ
- ୧୫ ଦିନର ୱାର୍କ ଚାର୍ଟ ବି ବନାଅ
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସି ନେତାଙ୍କୁ ଟାସ୍କ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଖାଲି ଟାସ୍କ ଦେଲେ ତାହା ନୁହେଁ ବରଂ କେମିତି ଲୋକଙ୍କ ସହ ଯୋଡି ହୋଇ ରହିବ ? କେମିତି ସୋସିଆଲ ମିଡିଆରେ ସକ୍ରିୟ ରହିବେ ସେନେଇ ବି ଦେଲେ ଗୁରୁମନ୍ତ୍ର । ଓଡ଼ିଶାରେ ନିର୍ବାଚନ ଜିତିବା ପରେ ପୁଣି ଥରେ ଆଗାମୀ ନିର୍ବାଚନରେ ବିଜେପି କେମିତି ବିଜୟ ହେବ ସେନେଇ ବି ବାଟ ବତାଇଦେଲେ ନଡ୍ଡା । ଏହାସହ ଦଳର ବିଧାୟକ ଓ ସାଂସଦଙ୍କୁ ବି ହୋମ୍ ୱାର୍କ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ସହ ଭୁବନେଶ୍ୱରରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ନିର୍ବାଚନରେ ବିଜେପି ବିଜୟ ହେବା ପରେ ଏବେ କେନ୍ଦ୍ରୀୟ ନେତା ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । କେମିତି ସରକାର ଭଲରେ କାମ କରିବ ସେନେଇ ବି ଆଲୋଚନା ହେଉଛି । ହେଲେ ଗତକାଲି ନଡ୍ଡା ଆସିବା ପରେ କର୍ମୀଙ୍କୁ ଯେଉଁପରି ଟାସ୍କ ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । କାରଣ ନିଇତି କିଛି ଲୋକଙ୍କ ପାଖକୁ ଯାଇ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନଡ୍ଡା ।
ନିଜ ଭିତରେ ଦକ୍ଷତା ବଢାଇବାର ଆହ୍ୱାନ ଦେଇ ବିଧାୟକଙ୍କୁ ଶକ୍ତି କେନ୍ଦ୍ର ଓ ସାଂସଦମାନଙ୍କୁ ନିୟମିତ ମଣ୍ଡଳକୁ ଯିବାକୁ ଟାସ୍କ ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରତିଦିନ ରୁଟିନ ତିଆରି କରି କାମ କରିବାକୁ ପରାମର୍ଶ ଦେବା ସହିତ ସବୁ ବର୍ଗର ଲୋକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବାକୁ ସେ ପରାମର୍ଶ ବି ଦେଇଛନ୍ତି । ଏହାସହ ଦଳର ବିଧାୟକ ଓ ସାଂସଦଙ୍କ ସୋସିଆଲ ମିଡିଆ ଉପରେ ନଜର ରହିବା ସହିତ କିଏ କେତେ ସୋସିଆଲ ମିଡିଆରେ ସକ୍ରିୟ ତାହା ଉପରେ ବି ନଜର ରହିଛି ଏବଂ ଅଡିଟ୍ ରିପୋର୍ଟ ତିଆରି ହୋଇଛି ।
ସେପଟେ, ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କୁ ସଦସ୍ୟତା କରାଇଥିଲେ ଜେ.ପି. ନଡ୍ଡା । ଏହି ଅବସରରେ କହିଥିଲେ ବିଜେପି ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଓ ବିଚାରଧାରାରର ଦଳ । ବୁଥ୍ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ଚୟନ ନିର୍ବାଚନ ଆଧାରରେ ହୁଏ । ବିଜେପିରେ ନେତାଙ୍କ ପୁଅ ନେତା ହୁଏନି । କଂଗ୍ରେସକୁ ଟାର୍ଗେଟ କରିବାକୁ ବି ଭୁଲିନଥିଲେ ନଡ୍ଡା । କହିଥିଲେ ଦେଶର ସବୁଠୁ ପୁରୁଣା ଦଳ ଏବେ ସହରୀ ନକ୍ସଲିଙ୍କ ମୁଖପାତ୍ର ସାଜିଛି । ଧାରା ୩୭୦ ପୁଣି ଆଣିବାକୁ ପ୍ରୟାସ କରିଥିବା ଲୋକଙ୍କ ସହ ହାତ ମିଳାଉଛି କଂଗ୍ରେସ । ଏ କେମିତି ବିଚାରଧାରା ବୋଲି ପ୍ରଶ୍ନ କରି, କଂଗ୍ରେସ ଅମଳରେ ମୁଦ୍ରାସ୍ପୀତି ୨ ଅଙ୍କ ତଳକୁ ଖସୁ ନଥିଲା ବେଳେ ଆଜି ସେମାନେ ଆମକୁ ମହଙ୍ଗା କଥା କହୁଛନ୍ତି ବୋଲି କହିଛନ୍ତି ।
ମୋଟ୍ ଉପରେ ନିର୍ବାଚନ ପୂର୍ବରୁ ବି ବାରମ୍ବାର ଓଡ଼ିଶା ଗସ୍ତରେ ଆସିଥିଲେ ଜେପି ନଡ୍ଡା । ଖାଲି ଆସିଥିଲେ ତାହା ନୁହେଁ ବରଂ କେମିତି ନିର୍ବାଚନ ବୈତରଣୀ ପାର ହେବ ଦଳ ସେନେଇ ଗୁରୁମନ୍ତ୍ର ଦେଇଥିଲେ । ଏବେ ସରକାର ଆସିବା ପରେ ବି ଓଡ଼ିଶା ଗସ୍ତରେ ଆସି ନଡ୍ଡା ଯେଉଁପରି ଦଳର କାମକୁ ତଦାରଖ କରୁଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।