କିଏ ହେବେ କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ରେସ୍‌ରେ ଭାରତୀୟ ଚନ୍ଦ୍ର ଆର୍ଯ୍ୟ

 Highlights

ଟ୍ରୁଡୋଙ୍କ ପରେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ରେସ୍‌ରେ ଭାରତୀୟ ଚନ୍ଦ୍ର ଆର୍ଯ୍ୟ

ମାର୍ଚ୍ଚ ୯ରେ ପରବର୍ତ୍ତୀ ନେତା ବାଛିବ ଲିବେରାଲ ପାର୍ଟି

ଅର୍ଗସ ବ୍ୟୁରୋ: ଜଷ୍ଟିନ୍ ଟ୍ରୁଡୋଙ୍କ ପରେ କିଏ ହେବେ କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏହାକୁ ନେଇ ନେଇ ନାନା ଚର୍ଚ୍ଚା ଭିତରେ ରେସ୍‌କୁ ଆସିଛନ୍ତି ଜଣେ ଭାରତୀୟ । ହାଉସ୍‌ ଅଫ୍ କମନ୍ସର ସଦସ୍ୟ ଥିବା ଭାରତୀୟ ଚନ୍ଦ୍ର ଆର୍ଯ୍ୟ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ମାର୍ଚ୍ଚ ୯ ତାରିଖରେ ଲିବେରାଲ ପାର୍ଟି ପରବର୍ତ୍ତୀ ନେତା ବାଛିବ ।



କାନାଡ଼ା ଲିବେରାଲ ପାର୍ଟିର ହିନ୍ଦୁ ନେତା ହେଉଛନ୍ତି ଚନ୍ଦ୍ର ଆର୍ଯ୍ୟ । ଗୁରୁବାର ଚନ୍ଦ୍ର ଆର୍ଯ୍ୟ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ରେସ୍‌ରେ ସାମିଲ୍ ଥିବା ଘୋଷଣା କରିଛନ୍ତି । ପୂର୍ବରୁ ଜଷ୍ଟିନ୍ ଟ୍ରୁଡୋଙ୍କ ଘନିଷ୍ଠ ଭାବେ ପରିଗଣିତ ଚନ୍ଦ୍ର ଆର୍ଯ୍ୟ, ଖଲିସ୍ତାନୀ ଆତଙ୍କବାଦୀ ଓ ଚରମପନ୍ଥୀଙ୍କୁ ନେଇ ଟ୍ରୁଡୋଙ୍କୁ ସମାଲୋଚନା କରିବା ପରେ ବିରୋଧୀ ହୋଇ ଯାଇଛନ୍ତି ।


ଲଗାତାର ବଢ଼ୁଥିବା ଚାପ ପରେ ଦଳର ନେତା ପଦ ସହ କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଜାନୁଆରୀ ୬ରେ ଇସ୍ତଫା ଦେଇଥିଲେ ଜଷ୍ଟିନ୍ ଟ୍ରୁଡୋ । ୨୦୨୧ ସେପ୍ଟେମ୍ବରରେ ତୃତୀୟଥର ଲାଗି କାନାଡ଼ାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ଜଷ୍ଟିନ୍ ଟ୍ରୁଡୋଙ୍କ କାର୍ଯ୍ୟକାଳ ୨୦୨୫ ଅକ୍ଟୋବରରେ ସରିଥାନ୍ତା ।


ଚନ୍ଦ୍ର ଆର୍ଯ୍ୟ କିଏ ?


କର୍ଣ୍ଣାଟକର ମୂଳ ବାସିନ୍ଦା ଚନ୍ଦ୍ର ଆର୍ଯ୍ୟ । ସେ ୨୦୦୬ରେ କାନାଡ଼ା ପଳାଇ ଯାଇ ସେଠାକାର ନାଗରିକତା ଗ୍ରହଣ କରିଥିଲେ । ଏମ୍‌ବିଏ କରିଥିବା ଚନ୍ଦ୍ର ଆର୍ଯ୍ୟ ୨୦୧୫ରେ ପ୍ରଥମଥର କାନାଡ଼ାର ସଂସଦକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ପୁଣି ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଚନ୍ଦ୍ର ଆର୍ଯ୍ୟ ।


କାନାଡ଼ା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପିତ କରି ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, କାନାଡ଼ାର ଲୋକ ବିଶେଷ କରି ଯୁବପିଢ଼ି ସମସ୍ୟାର ସାମ୍ନା କରୁଛନ୍ତି । ପରିବାର ପ୍ରତିପୋଷଣ ଲାଗି ସଂଘର୍ଷ କରୁଛନ୍ତି ମଧ୍ୟବିତ୍ତ । ଅଧିକରୁ ଅଧିକ ପରିବାରର ଆୟ ହ୍ରାସ ପାଉଥିବା ବେଳେ ସେମାନେ ଗରିବ ହୋଇ ଚାଲିଛନ୍ତି । କାନାଡ଼ାକୁ ଏଭଳି ଏକ ଶକ୍ତ ଓ ବଳିଷ୍ଠ ନେତୃତ୍ଵ ଆବଶ୍ୟକ ଯିଏ କି ବଡ଼ ନିଷ୍ପତ୍ତି ନେବାକୁ ଡରିବେ ନାହିଁ । ଏମିତି ନିଷ୍ପତ୍ତି ନେବେ ଯାହା ଆମ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ, ସ୍ଵପ୍ନକୁ ସାକାର କରିବାରେ ସହାୟକ ହେବ । ସମସ୍ତ କାନାଡ଼ାବାସୀଙ୍କ ଲାଗି ସମାନ ସୁଯୋଗ ସହ ସୁବିଧା ପ୍ରଦାନ କରିବ ।


ଜାନୁଆରୀ ୬ରେ କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଷ୍ଟିନ୍ ଟ୍ରୁଡୋ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପର୍ଯ୍ୟନ୍ତ ଦାଯିତ୍ଵରେ ରହିବେ । ଲିବେରାଲ୍ ପାର୍ଟି ମାର୍ଚ୍ଚ ୯ରେ ପରବର୍ତ୍ତୀ ନେତା ବାଛିବ । ଆର୍ଯ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ପଦ ରେସରେ ପୂର୍ବତନ ବ୍ୟାଙ୍କର ମାର୍କ କାର୍ନି, ମଣ୍ଟ୍ରୋଲ୍ ସାଂସଦ ଫ୍ରାଙ୍କ ବେଲିସ୍ ଆଦି ରହିଛନ୍ତି ।


ଟ୍ରୁଡୋଙ୍କ ପାଖେ ନାହିଁ ବହୁମତ


୩୩୮ ସଦସ୍ୟ ବିଶିଷ୍ଟ କାନାଡ଼ାର ସଂସଦ ହାଉସ୍ ଅଫ୍ କମନ୍ସରେ ଲିବେରାଲ୍ ପାର୍ଟିର ୧୫୩ ସଦସ୍ୟ ରହିଛନ୍ତି । ଯେତେବେଳେ କି ବହୁମତ ହେଉଛି ୧୭୦ । ଗତବର୍ଷ ଟ୍ରୁଡୋ ସରକାର ଠାରୁ ସହଯୋଗୀ ଦଳ ନ୍ୟୁ ଡେମୋକ୍ରେଟିକ୍ ପାର୍ଟି ତାର ୨୫ ସାଂସଦଙ୍କ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଏବେ ବହୁମତ ପାଇଁ ଲିବେରାଲ୍ ପାର୍ଟିକୁ ୧୭ ସଦସ୍ୟଙ୍କ ସମର୍ଥନ ଆବଶ୍ୟକତା ରହିଛି ।

Post a Comment (0)
Previous Post Next Post