ମାତ୍ର ୬ ମାସରେ ବିଶ୍ବ ରେକର୍ଡ
ପାଟି ଫିଟିନି, ହେଲେ ନୋବେଲ ପ୍ରାଇଜ ହାତେଇଛନ୍ତି ଶ୍ଲୋକାଚିହ୍ନିପାରୁଛନ୍ତି ୧୧୫ଟି ଫ୍ଲାସକାର୍ଡ
ବୟସ ମାତ୍ର ୬ ମାସ । ଆଉ ଏତେ କମ ବୟସରେ ଏପରି ସଫଳତା ହାତେଇବା ପରିବାର ପାଇଁ ତଥା ଅଞ୍ଚଳ ପାଇଁ ନିହାତି ଭାବେ ବେଶ ଗର୍ବର କଥା । କଅଁଳ ବୟସରେ ମଧ୍ୟ ପ୍ରଖର ସ୍ମରଣଶକ୍ତିର ଅଧିକାରୀ ସାଇଶ୍ଲୋକା । ପାଟି ଫିଟିନି, ବୟସ ବି ବର୍ଷେ ଛୁଇଁନି, ହେଲେ ଏବେଠୁ ନିଜ ପ୍ରତିଭାକୁ ନେଇ ତୁଳସୀ ପରି ମହକିଲେଣି ଶ୍ଲୋକା ।
ନୋବେଲ ବୁକ ଅଫ ୱାର୍ଲ୍ଡ ରେକର୍ଡ ପାଇବାକୁ ଅନେକ ଜଣ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି । କିନ୍ତୁ ମାତ୍ର ୬ ମାସରେ ନୋବେଲ ପୁରସ୍କାର ଜିତିବା କୌଣସି ବଡ ଉପଲବ୍ଧିଠାରୁ କମ ନୁହେଁ । ଏ ହେଉଛନ୍ତି ପାରଳାଖେମୁଣ୍ଡି କୃଷ୍ଣ ନଗରର ଶିଶୁ ସାଇ ଶ୍ଳୋକା ପାଇକ । ୬ ମାସରେ ସେ ୧୧୫ ପ୍ରକାରର ଫ୍ଲାସକାର୍ଡକୁ ଦେଖି ଚିହ୍ନିପାରୁଛନ୍ତି ସାଇଶ୍ଲୋକା । ଫଳ, ପନିପରିବା, ରଙ୍ଗ, ସ୍ବାଧୀନତା ସଂଗ୍ରାମୀ, ପଶୁ ପକ୍ଷୀ ସମସ୍ତଙ୍କୁ କାର୍ଡ ଦ୍ବାରା ଚିହ୍ନି ପାରୁଛନ୍ତି । ଶ୍ଲୋକାଙ୍କ ବାପା ମାଆ ତାଙ୍କୁ ଏପରି କାର୍ଡ ଚିହ୍ନାଇବା ୨ ମାସରୁ ଆରମ୍ଭ କରି ଦେଇଥିଲେ । ଆଜିକାଲିର ପିଲାମାନଙ୍କୁ ବାପା ମାଆ ସବୁବେଳେ ଫୋନ ଦେଖାଉ ଥିବାବେଳେ ନିଜ ପିଲାଙ୍କୁ ଫୋନରୁ ଦୂରେଇ ରଖିବାକୁ ଏମିତି ପ୍ରୟାସ କରିଥିବା କହିଛନ୍ତି ଶ୍ଲୋକାଙ୍କ ବାପା ମାଆ।
ଶ୍ଲୋକାଙ୍କ ଏହି ସଫଳତାରେ ତାଙ୍କର ଅଞ୍ଚଳବାସୀ ମଧ୍ୟ ବେଶ ଖୁସି ଅଛନ୍ତି । ଆଜିକାଲିର ବାପାମାଆ ମାନେ ପିଲାଙ୍କ ଛୋଟ ବୟସରୁ ହିଁ ତାଙ୍କୁ ଫୋନର ଅଭ୍ୟାସ କରାଉଛନ୍ତି । ଆଉ ଏପରି କରିବା ଦ୍ବାରା ପିଲାମାନଙ୍କର ମାନସିକ, ବୌଦ୍ଧିକ ବିକାଶ ହେଉନାହିଁ । ଏପରି ସମୟରେ ପିଲାକୁ ଫୋନରୁ ଦୂରେଇ ରଖି ଅନ୍ୟ ଜିନିଷ ପ୍ରତି ଆକର୍ଷିତ କରାଇବା ଭଳି ପଦକ୍ଷେପକୁ ବୁଦ୍ଧିଜୀବିମାନେ ପ୍ରଶଂସା କରିଛନ୍ତି । ସାଇଙ୍କ ଏଭଳି ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଗର୍ଭଧାରଣ କରିବା ପୂର୍ବରୁ ହିଁ ସେମାନେ ନିଜ ପିଲାକୁ ଫୋନ ଭଲି ଜିନିଷରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ସେମାନେ ନିଜ ପିଲାର ମାନସିକ ବୌଦ୍ଧିକ ବିକାଶ ପାଇଁ ଏପରି ପ୍ରୟାସ ୩ ମାସରୁ ଆରମ୍ଭ କରିଛନ୍ତି । ଯାହା ଅନେକ ଅଭିଭାବକଙ୍କୁ ମଧ୍ୟ ପ୍ରେରଣା ଦେବ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।