କାଲିଠୁ ବଢ଼ିବ ତାତି, ୧୫ରୁ ହିଟ୍‌ ୱେଭ୍ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

 ଭୁବନେଶ୍ଵର: ମାର୍ଚ୍ଚ ଅଧାରୁ କଲବଲ କରିବ ତାତି । ଦିନ ଭଳି ରାତି ବି ହେବ ତତଲା । ରାଜ୍ୟର ଏକାଧିକ ସ୍ଥାନରେ ଦିନ ବେଳା ପାରଦ ୪୦ ପାର୍ କରିବ । ଗ୍ରୀଷ୍ମ ପ୍ରବାହକୁ ନେଇ କିଛି ଏମିତି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ଓଡ଼ିଶା ଉପରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ବେଳେ ତାତି ବଢ଼ିବାକୁ ଯାଉଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ମଧ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିଭଳି ରାତିର ସର୍ବନିମ୍ନ ତାପମାତ୍ରା ୩ ଦିନ ପରେ ୨ରୁ ୩ ଡିଗ୍ରୀ ବଢ଼ି ଯିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଶୁଖିଲା ପାଗ ।


ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଥିବା ବେଳେ ଆଜି ବୁଧବାର ଦିନ ସାଢ଼େ ୧୧ଟା ସୁଦ୍ଧା ଚଳିତବର୍ଷ ପ୍ରଥମଥର ପାଇଁ ପାରଦ ୩୭ ଡିଗ୍ରୀ ଅତିକ୍ରମ କରିଛି । ଆଜି ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୩୭.୨ ଡିଗ୍ରୀ ରେକର୍ଡ ହୋଇଛି ।


୧୩ ତାରିଖ ପାଇଁ ହିଟ୍‌ ୱେଭ୍ ନେଇ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧକୁ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି । ସେହିଭଳି ୧୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ, ସୁନ୍ଦରଗଡ଼ ଓ ଅନୁଗୁଳକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।



୧୫ ତାରିଖରୁ ତାତି ବଢ଼ିବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବଢ଼ିବ ଖରାର ପ୍ରକୋପ । ଦିନ ରାତି ବେଳା ବି ତାତି ଅନୁଭୂତ ହେବ । ୧୫ରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧକୁ ହିଟ୍‌ ୱେଭ୍ ନେଇ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଅନୁଗୁଳ, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ରହିଛି । ସେହିଭଳି ସୁନ୍ଦରଗଡ଼, ବଲାଙ୍ଗିର, ବରଗଡ଼ ଓ ବୌଦ୍ଧରେ ରାତି ତତଲା ରହିବ । ଏ ନେଇ ୟେଲୋ ଆଲର୍ଟ ଦିଆଯାଇଛି ।


ସେହିଭଳି ୧୬ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ । ସେହିଭଳି ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲାରେ ରାତି ସମୟରେ ପାରଦ ଅଧିକ ରହିବା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି ।


ଅରେଞ୍ଜ ୱାର୍ଣ୍ଣିଂ ସମୟରେ ଖରାର ପ୍ରକୋପ ଅଧିକ ରହୁଥିବାରୁ ଦିନ ୧୧ଟାରୁ ୩ ଦିନ ମଧ୍ୟରେ ସତର୍କତା ଅବଲମ୍ବନ କରିବା ଜରୁରି । ବିଶେଷ କରି ନବଜାତକ, ବୟସ୍କ ଓ ଶ୍ଵାସରୋଗୀ ଖରା ଠାରୁ ଦୂରେଇ ରହିବା ଆବଶ୍ୟକ ।


Post a Comment (0)
Previous Post Next Post