Highlights
ପୋଲିସ କରୁଥିଲା କ'ଣ ?
ଏତେ ଲୋକଙ୍କ ଭିଡ଼ ଜମିଲା କାହିଁକି ?
ପୋଲିସ ଲୋକଙ୍କୁ ଅଟକାଇଲାନି କାହିଁକି ?
୧୭ ବର୍ଷ ପରେ RCB ପାଇଲା ଟ୍ରଫି । ଖୁସି ଜାହିର କରିବାକୁ ଆସିଥିଲେ ଫ୍ୟାନ୍ସ । ହେଲେ ଚାଲିଗଲା ୧୧ ନୀରିହଙ୍ ଜୀବନ । ଏଥିପାଇଁ କାହାକୁ କରିବା ଦାୟୀ ? ଲୋକଙ୍କୁ ଦୋଷ ଦେବା ନା ସ୍ଥାନୀୟ ପ୍ରଶାସନକୁ ଦାୟୀ କରିବା ? ପୋଲିସ କରୁଥିଲା କ'ଣ ? ଏତେ ଲୋକଙ୍କ ଭିଡ଼ ଜମିଲା କାହିଁକି ? ପୋଲିସ ଲୋକଙ୍କୁ ଅଟକାଇଲାନି କାହିଁକି ?
କର୍ଣ୍ଣାଟକ ରାଜ ରାସ୍ତାରେ ଆଜି ଧୁମ୍ ଧାମ୍ରେ ଚାଲିଥିଲା ସେଲିବ୍ରେସନ୍ । ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ RCB ସପୋଟର୍ସ ଆଉ ବିରାଟ ଫ୍ୟାନ୍ସଙ୍କ ଜମିଥିଲା ଭିଡ଼ । ଯିଏ ଯେଉଁଠି ପାରିଲେ ସେଇଠି ଛିଡ଼ା ହୋଇ ଉତ୍ସବରେ ସାମିଲ ହେଲେ । RCBର ଭିକ୍ଟ୍ରି ପରେଡ୍ରେ ନିଜକୁ ସାମିଲ କରି ସମସ୍ତେ ଖୁସି ମନାଉଥିଲେ । ସମସ୍ତଙ୍କ ନଜର ସେଇ ବିଜୟୀ ଟିମ୍ ଉପରେ ରହିଥିଲା । ସମସ୍ତଙ୍କ ଆଖି କିଙ୍ଗ କୋହଲିଙ୍କୁ ଦେଖିବାକୁ ତରସି ଯାଉଥିଲା । ସମସ୍ତଙ୍କ ମନରେ ଖୁସିର ଲହରୀ ।ହେଲେ ହଠାତ୍ ଘଟିଗଲା ବଡ଼ ଦୁର୍ଘଟଣା । ରାସ୍ତ କଡ଼ ଡ୍ରେନ୍ ସ୍ଲାବ୍ ଉପରେ ଛିଡ଼ା ହୋଇଥିଲେ କିଛି ପ୍ରଶଂସକ । କିନ୍ତୁ ସ୍ଲାବ୍ ସମ୍ଭାଳି ପାରିନଥିଲା ତାଙ୍କ ଓଜନ । ଶେଷରେ ଭାଙ୍ଗିଯାଇଥିଲା ସ୍ଲାବ୍ । ଡ୍ରେନ୍ରେ ଖସିପଡ଼ିଥିଲେ କିଛି ଲୋକ । ତାପରେ ଆରମ୍ଭ ହୋଇଥିଲା ଦୌଡ଼ାଦୌଡ଼ି । ଅନ୍ୟପଟେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ କରୁଥାଏ ଲାଠି ଚାର୍ଜ । ଯେଉଁଥିପାଇଁ ଭୟରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ । ଆଉ ଶେଷରେ ଦଳଚକଟା ପରିସ୍ଥିତି ମଧ୍ୟ ଉପୁଜିଥିଲା । ଯାହାଫଳରେ ଚାଲିଗଲା ୧୧ ନୀରିହଙ୍କ ଜୀବନ । ଆଉ ଏଥିରେ ଆହତ ହୋଇଛନ୍ତି ୫୦ରୁ ଅଧିକ ଲୋକ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଇଏ ତ ଥିଲା ପୂରା ଘଟଣା... ।
ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ଏତେ ଲୋକଙ୍କୁ ଭିଡ଼ ଜମାଇବା ପାଇଁ ସୁଯୋଗ ଦିଆଗଲା । ପୋଲିସ କାହିଁକି ସେମାନଙ୍କୁ ଦୂରରୁ ଅଟକାଇଲା ନାହିଁ । ପୁଷ୍ପା ୨ ରିଲିଜ ବେଳେ ପାଟନାରେ ଯେଉଁ ଦୁର୍ଘଟଣା ଘଟିଥିଲା, ସେଥିରୁ କ'ଣ କିଛି ଶିଖିପାରିଲାନି କର୍ଣ୍ଣାଟକ ପୋଲିସ ? ବିଚାର ବିମର୍ଷ ନକରି ଏଭଳି ଏକ ଆୟୋଜନ ସ୍ଥାନୀୟ ସରକାରଙ୍କର ଭୁଲ ନିଷ୍ପତ୍ତି ନୁହେଁ କି ? ପୋଲିସ ପ୍ରଶାସନର ଖାମ ଖିଆଲ ମନୋଭାବ ଯୋଗୁଁ ଏଭଳି ଘଟିଛି ବୋଲି କହିଲେ କ'ଣ ଭୁଲ ହେବ ?
କୁହାଯାଉଛି RCB ଟିମ୍ ଜିତିବା ପରେ କର୍ଣ୍ଣାଟକ ସରକାର ଏତେ ଖୁସି ହୋଇଥିଲେ ଯେ ଦୁଇ ଦିନିଆ ଛୁଟି ଘୋଷଣା କରିଥିଲେ । ଯାହାକି ତାଙ୍କୁ ଏବେ ମହଙ୍ଗା ପଡ଼ିଲା ।