ଅର୍ଗସ ବ୍ୟୁରୋ: ପୁଣି ଘନେଇଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ସେହି ଭୟ ପୁଣି ଥରେ ମାଡି ଆସିଲାଣି। କାହିଁକିନା ଶୀତ ବଢ଼ିଲାଣି। ଆଉ ତାସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ୁଛି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ କରୋନା ସହ ଲଢିବା ପରେ ସାରା ବିଶ୍ୱରେ ପରିସ୍ଥିତି ପୁନର୍ବାର ସ୍ୱଭାବିକ ହେବାକୁ ବସିଥିବା ବେଳେ ଏବେ ପୁଣି ଥଣ୍ଡା ବଢିବା ସହିତ କରୋନାର ବିପଦ ଘନେଇ ଆସିଲାଣି । ଗତ କିଛି ସପ୍ତାହ ମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କୁ ହସ୍ପିଟାଲାଇଜ୍ ହେବା ମାମଲା ବୃଦ୍ଧି ପାଇଛି । ଆମେରିକାର ୧୪ ପ୍ରଦେଶରେ କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।ଯାହା ଭୟ ବଢ଼ାଉଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୀତ ବଢ଼ିବା ସାଙ୍ଗକୁ ବଢ଼ିଚାଲିଛି। ଆମେରିକାର ଅପର ମିଡ୍ ୱେଷ୍ଟ, ସାଉଥ୍ ଆଟଲାଣ୍ଟିକ ଓ ସଦର୍ଣ୍ଣ ମାଉଣ୍ଟେନରେ କରୋନା କେସ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯେତେ ଯେତେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି ସେତେ ସେତେ କରୋନା ସଂକ୍ରମଣ ବି ବୃଦ୍ଧି ପାଇବାରେ ଲାଗିଛି ।
୧୧ ନଭେମ୍ବର ସୁଦ୍ଧା ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ୧୬୨୩୯ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହିପରି ଭାବରେ କରୋନା ମାମଲାରେ ୮.୬% ବୃଦ୍ଧି ପରିଲକ୍ଷିତ ହୋଇଛି । ଆମେରିକାରେ ଜୁନ୍ ପରେ ସେପ୍ଟେମ୍ବର ପର୍ଯ୍ୟନ୍ତ ବି କରୋନା ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି । କିନ୍ତୁ ଅକ୍ଟୋବରରେ କରୋନା କେସ୍ରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ତେବେ କେବଳ ଆମେରିକାରେ ନୁହେଁ ଚୀନ୍ରେ ବି ପୁନର୍ବାର କରୋନା ଏକ ଆହ୍ୱାନ ପାଲଟିବାରେ ଲାଗିଲାଣି । ଅନ୍ୟପକ୍ଷରେ ଭାରତରେ ଏବେ କରୋନାର ପ୍ରଭାବ କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୬ରୁ ୨୦ ମାମଲା ସାମ୍ନାକୁ ଆସିଛି ।