ଅର୍ଗସ ବ୍ୟୁରୋ: ୧୦ ବର୍ଷରେ ଦେଶରେ ବିକାଶ କେମିତି ହୋଇଛି ? କେତେ ହୋଇଛି ? ସବୁର ଗୋଟି ଗୋଟି ହିସାବ ଦେଲେ ଧାମନଗର ବିଧାୟକ ସୁର୍ଯ୍ୟବଂଶୀ ସୂରଜ । ଖାଲି ଏତିକି ନୁହେଁ ବରଂ ବିକାଶର ସିଢି କେମିତି ଘାଏଁ ଘାଏଁ ଗଡ଼ୁଛି ସେନେଇ ଦେଖାଇଲେ ବିକାଶର ସତ ।
- ସୂର୍ଯ୍ୟବଂଶୀ ସୁରଜ, ଧାମନଗର ବିଧାୟକ
- ଦେଶରେ ଡିଜିଟାଲକ୍ରାନ୍ତି ଆଣିଛନ୍ତି ମୋଦି
- ୧୦ ବର୍ଷରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ
ଦେଶରେ ଡିଜିଟାଲ କ୍ଷେତ୍ରରେ ଅନେକ ବିକାଶ ହୋଇଛି, ଆଗକୁ ବି ଜାରି ରହିବ । ଖାସ୍ କରି ଟେଲିକମ ସେକ୍ଟରରେ ୧୦ ବର୍ଷରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ୨୦୧୪ ରେ ମାତ୍ର ୬ ଲକ୍ଷରୁ କମ୍ ଲୋକଙ୍କ ପାଖରେ ସଂଯୋଗୀକରଣ ଥିଲା ବେଳେ ଆଜି ୨ କୋଟି ୩୬ ଲକ୍ଷ ଲୋକଙ୍କ ପାଖରେ ବ୍ରଡ୍ ବ୍ୟାଣ୍ଡ୍ କନେକଟିଭିଟି ପହଞ୍ଚି ପାରିଛି । ଆଦିବାସୀ ଅଞ୍ଚଳରେ ଯେଉଁଠି ଗମନା ଗମନର ବ୍ୟବସ୍ଥା ନାହିଁ...ଯେଉଁଠି ମାଲ୍ ପରିବହନର ବ୍ୟବସ୍ଥା ନାହିଁ ଟାୱାରର ଯନ୍ତ୍ରାଂଶ ସଗଡଗାଡିରେ ବି ବୁହା ହୋଇ ନିଆଯାଉଛି । ମୋଦି ସରକାରରେ ସେଭଳି ସ୍ଥାନରେ ବି ଇଣ୍ଟରନେଟ୍ ସଂଯୋଗୀକରଣ ହୋଇପାରିଛି ବୋଲି କହିଛନ୍ତି ସୂରଜ ।
- ଜାତୀୟ ରାଜପଥରୁ ଇଣ୍ଟରନେଟ୍
- ବିକାଶର ଗଡୁଛି ଗାଡି
ଦେଶରେ ଯେପରି ନ୍ୟାସନାଲ୍ ହାଇୱେରେ ରେକର୍ଡ ହୋଇଛି, ସେହିପରି ଓଡିଶାରେ ବି ଇଣ୍ଟରନେଟରେ ବ୍ରଡ୍ ବ୍ୟାଣ୍ଡ୍ ହାଇୱେରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିଛି । ଠେଲା ଗାଡ଼ି ବ୍ୟବସାୟୀ ଡିଜିଟାଲ କ୍ରାନ୍ତିର ବ୍ରାଣ୍ଡ୍ ଆମ୍ବସଡର ପାଲଟିଛନ୍ତି । ଭାରତରେ ଏବେ ସର୍ବନିମ୍ନ ମୂଲ୍ୟରେ ଇଣ୍ଟରନେଟ ଡାଟା ମିଳୁଛି । ଭାରତରେ 75 ହଜାର ଷ୍ଟାର୍ଟ ଅପ୍ ଏବେ କାର୍ଯ୍ୟକ୍ଷମ ହୋଇପାରିଛି । ଯୁବକ ମାନେ ଏବେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ଯୋଗାଇ ପାରୁଛନ୍ତି ।
ଖାଲି ଏତିକି ନହେଁ ବରଂ ଆଦିବାସୀ ଅଧ୍ୟୁଷିତ ଅଂଚଳରେ କେମିତି ସରକାରୀ ବିକାଶ ପହଞ୍ଚିପାରିବ ସେନେଇ ଅନେକ କାମ କରୁଛି ମୋଦି ସରକାର । ହେଲେ କେନ୍ଦ୍ର ସହ ତାଳ ଦେଇ ରାଜ୍ୟ ଆଗକୁ ବଢିଲେ ବିକାଶ ଡବଲ ହେବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ନିର୍ବାଚନକୁ ନେଇ ସୂରଜ କହିଛନ୍ତି ନିର୍ବାଚନ ପ୍ରସ୍ତୁତି ଚଳାଇଛି ବିଜେପି । ରୁଟିନ ବୈଠକ ମଧ୍ୟ ହେଉଛି । ନିର୍ବାଚନ କମିଟି ଠାରୁ ଆରମ୍ଭ କରି କୋର କମିଟି ବୈଠକ ମାଧ୍ୟମରେ ଦଳ ବିସ୍ତୃତ ଭାବେ ଆଲୋଚନା କରୁଛି । ବିଭିନ୍ନ ସ୍ତରରେ ସମୀକ୍ଷା କରାଯାଉଛି । ଆଗାମୀ ନିର୍ବାଚନ ପାଇଁ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଲେ ସୂରଜ ।
