ଅର୍ଗସ ବ୍ୟୁରୋ : ଶିମିଳିପାଳରେ ମେଲିଲାଣି ଅଫିମ ଚାଷର ପସରା । ଗୋଟିଏ କି ଦୁଇଟି ନୁହେଁ ବରଂ ତିନୋଟି ପଞ୍ଚାୟତର ବରେହିପାଣି, ଅସ୍ତକୁଅଁରୀ ଓ ଗୁଡୁଗୁଡିଆର ୯ଟି ଗାଁର ୧୩ ଟି ସ୍ଥାନରେ ୫୦ ହେକ୍ଟରରୁ ଅଧିକ ଜାଗାରେ ଚାଲିଛି ଅଫିମ ଚାଷ । ବେସରକାରୀ ଜମିରେ ଯାହା ତ କରୁଥିଲେ କରୁଥିଲେ ଏବେ ସରକାରୀ ଜମିରେ ବି ଚାଷ କରୁଛନ୍ତି ମାଫିଆ । ଯାହାକୁ ନେଇ ଚିନ୍ତାରେ ପ୍ରଶାସନ ।
ବେଆଇନ ଚାଷ ଲାଗି ପ୍ରଥମେ ଫେବ୍ରୁଆରୀ ୨୪ ତାରିଖରେ ଜଶିପୁର ଥାନା ଅନ୍ତର୍ଗତ ଢଳବଣି ପଞ୍ଚାୟତର ଚଢ଼ାଉ କରାଯାଇଥିଲା । ଚଢାଉ କରି ମୋଟ ୨୮ ଡେଶିମିଲ ଜାଗାରେ ଲାଗିଥିବା ୧୩ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଥିଲା । ସେହିଭଳି ମାର୍ଚ୍ଚ ୧୦ ତାରିଖରେ ଦ୍ଵିତୀୟ ଥର ଶିମିଳିପାଳ ସଂଲଗ୍ନ ଅସ୍ତକୁଅଁରୀ ପଞ୍ଚାୟତର ବକୁଆ ଓ କୁକୁରଭୁକା ଗ୍ରାମରେ ଚଢ଼ାଉ କରି ୧୫ ଏକର ୬୪ ଡେଶିମିଲ ଜାଗାରେ ଚାଷ କରାଯାଇଥିବା ୫ ଲକ୍ଷ ୨୮ ହଜାର ଅଫିମ୍ ଗଛ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୭୦ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି ।
ଏବଂ ପୁଣି ୬ ଦିନ ପରେ ଅର୍ଥାତ୍ ଗତ ୧୬ ତାରିଖରେ ବରେହିପାଣି ପଞ୍ଚାୟତର ଯୋଜଗଡା ଓ ଫୁଲବଡ଼ି ଗ୍ରାମରେ ଚଢ଼ାଉ କରି ୫ ଏକର ୨୪ ଡେଶିମିଲ ଜାଗାରେ ହୋଇଥିବା ୧ ଲକ୍ଷ ୫୪ ହଜାର ୯୮୦ ଟି ଅଫିମ ଗଛକୁ ପୋଡି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୧୦ ଲକ୍ଷ୍ୟ ତାଙ୍କ ହେବ । ତେବେ ବର୍ତ୍ତମାନ ସୁଦ୍ଧା ୨୧ ଏକର ୧୬ ଡେଶିମିଲ ଜାଗାରେ ଚାଷ ହୋଇଥିବା ୬ ଲକ୍ଷ ୯୫ ହଜାର ୯୮୦ ଅଫିମ ଗଛକୁ ନଷ୍ଟ କରାଯାଇଥିବା ବେଳେ ଆହୁରି ଅନେଜ ସ୍ଥାନରେ ବାକି ରହିଛି ।
ଅନ୍ୟପଟେ ଶିମିଳିପାଳ ମଧ୍ୟରେ ଏଭଳି ବେଆଇନ ଅଫିମ ଚାଷ ହେଉଥିବା ଘଟଣାକୁ ନିନ୍ଦା କରିବା ସହ ଏଥିପାଇଁ ବିଶେଷ କରି ବନବିଭାଗକୁ ଦାୟି କରିଛନ୍ତି ପରିବେଶବିତ୍ । ତେବେ ଏଠି ପ୍ରଶ୍ନ ଉଠୁଛି; ଏତେ ପରିମାଣର ଅଫିମ ଚାଷ ହେଉଥିବା ଜାଣିବା ପରେବି, ପୋଲିସ ଏଯାଏଁ କାହାକୁ ଗିରଫ କରିନାହିଁ କାହିଁକି ? କାହାର ଇସାରାରେ ଏବଂ କେତେ ଦିନ ଧରି ଏହି ବେଆଇନ ଚାଷ ଏଠାରେ ହୋଇଆସୁଛି ?
