କେଜରିଓ୍ବାଲ ଗିରଫ: ଆଜି କୋର୍ଟରେ ହାଜର କରାଯିବ

 ଅର୍ଗସ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗିରଫ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି। ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଳୀ ହାଇକୋର୍ଟ ମନା କରିଦେବା ପରେ ତାଙ୍କୁ ଗିରଫ କରାଯାଇଛି। କୌଣସି ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। କେଜରିୱାଲଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଲୀ ହାଇକୋର୍ଟ ଆଜି ମନା କରିବା ପରେପରେ ସନ୍ଧ୍ୟାରେ ଇଡିର ଏକ ଟିମ୍ ସର୍ଚ୍ଚ ୱାରେଣ୍ଟ ନେଇ କେଜରିୱାଲଙ୍କ ବାସଭବନରେ ପହଞ୍ଚିଥିଲା। ଘର ଭିତରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ବେଳେ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାଙ୍କ ଘର ଭିତରକୁ କାହାକୁ ଛାଡ଼ି ନଥିଲେ ସୁରକ୍ଷା କର୍ମୀ। 


ଏପରିକି କେଜରିୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ୫ଟି ଫୋନ୍‌ ଜବତ କରାଯାଇଥିଲା। ଦୁଇ ଘଣ୍ଟା ଧରି ଜେରା କରିବା ପରେ ଇଡି କେଜରିୱାଲଙ୍କୁ ଗିରଫ କରିଥିଲା। ୮ ଜଣିଆ ତଦନ୍ତକାରୀ ଟିମ୍ ମନିଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ)ର ଧାରା ୫୦ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିଛି। ଏହାସହିତ ତାଙ୍କ ଘରେ ଛାନଭିନ ମଧ୍ୟ କରିଛି। ଇଡି ପକ୍ଷରୁ କୁହାଯାଇଛି ଯେ ୫୫ ବର୍ଷୀୟ କେଜରିୱାଲଙ୍କୁ ଆସନ୍ତାକାଲି ‌ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ। ଇଡି ହାଜତରେ ତାଙ୍କୁ ଜେରା କରିବା ଲାଗି କୋର୍ଟଙ୍କ ଅନୁମତି ଲୋଡ଼ାଯିବ। ଏବେ ତ‌ାଙ୍କୁ ଇଡି ମୁଖ୍ୟାଳୟରେ ରଖାଯାଇଛି। ଆସନ୍ତାକାଲି ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ। 

Post a Comment (0)
Previous Post Next Post