ଦିଲ୍ଲୀ ଡିଲକୁ ଅପେକ୍ଷା...ଆଜି..

 ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଝୁଲୁଛି ଓଡ଼ିଶାର ବିଜେପି ପ୍ରାର୍ଥୀଙ୍କ ଭାଗ୍ୟ ? କାରଣ ତିନିଦିନ ହେଲାଣି ଦିଲ୍ଲୀରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସୁଛି ସତ ହେଲେ ପ୍ରାର୍ଥୀ କିଏ କେଉଁଠୁ ହେବ ସେନେଇ ଗଣିତ ଛିଣ୍ଡୁନି । କି କିଛି ସ୍ପଷ୍ଟତା ବି ଆସୁନି । ଖାଲି ଏତିକି ନୁହେଁ ବରଂ ମେଂଟ ଚର୍ଚ୍ଚା ବି ଝୁଲିକି ରହିଛି । କାରଣ ଦୁଇ ଦଳର ନେତାଏ କହୁଛନ୍ତି ଶୀର୍ଷ ନେତୃତ୍ଵ ଯାହା ନିଷ୍ପତ୍ତି ନେବେ । କିନ୍ତୁ ନିଷ୍ପତ୍ତି କେବେ ହେବ ? ସେନେଇ କିଛି କ୍ଲିୟର ହୋଇପାରୁନି । 


ଦିଲ୍ଲୀରେ ବୈଠକ ପରେ ବୈଠକ ହେଉଛି, ହେଲେ ଓଡ଼ିଶା ଗଣିତ ଜମାରୁ ଛିଣ୍ଡୁନି । ହେଡକ୍ଵାର୍ଟରରେ ଓଡ଼ିଶାକୁ ନେଇ ଘନଘନ ବୈଠକ ହେଉଛି । ବୈଠକରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ରାଷ୍ଟ୍ରୀୟ ସଂଗଠନ ସଂପାଦକ ବି.ଏଲ୍. ସନ୍ତୋଷଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ବିଳମ୍ବିତ ରାତି ଯାଏଁ ବୈଠକ କରିଥିଲେ । ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର କେନ୍ଦ୍ର ନିର୍ବାଚନ କମିଟି ବୈଠକ ବସିବା ପରେ ତୃତୀୟ ପର୍ଯ୍ୟାୟରେ ଓଡିଶାରୁ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ନେଇ ଚର୍ଚ୍ଚା ବି ଜୋର ଧରିଛି ।

ମୋଟ୍‌ ଉପରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କୁ ନେଇ କରୁଛନ୍ତି କସରତ । କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ ସେନେଇ ମାନସମନ୍ଥନ ହେଉଛି । କାରଣ ୨୪ ନିର୍ବାଚନରେ ବିଜେପି ରାଜ୍ୟରେ ଏକାକୀ ଲଢିବ ବୋଲି ବରିଷ୍ଠ ନେତା ବାରମ୍ବାର ପ୍ରତିକ୍ରିୟା ରଖୁଛନ୍ତି । ତେଣୁ ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ନେତୃତ୍ଵ କେନ୍ଦ୍ର ନେତୃତ୍ଵଙ୍କ ସହ ଆଲୋଚନା କରୁଛନ୍ତି । କୁହାଯାଉଛି କି ଖୁବଶୀଘ୍ର ରାଜ୍ୟ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ତେବେ ସମୟ କହିବ କେବେ ପ୍ରାର୍ଥୀ ଘୋଷଣା କରୁଛି ଦଳ ।

Post a Comment (0)
Previous Post Next Post