ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡା ବିଜେଡିରେ ଏବେ କିଛି ଠିକ୍ଠାକ୍ ନାହିଁ । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ବିଜେଡି । ଦଳରେ ଏବେ ବାହାର ନେତାଙ୍କ ଆମଦାନୀ ବଢୁଥିବାରୁ ପୁରୁଖା ନେତା ଏବେ ଅସନ୍ତୁଷ୍ଟ ହେଲେଣି । ସେଇଥି ଲାଗି ତ ଆଜି ସକାଳୁ ସକାଳୁ ସିପ୍ରା ଛାଡିଲେ ବିଜୁ ଜନତା ଦଳ ।
କେନ୍ଦ୍ରାପଡ଼ା ବିଜେଡ଼ିକୁ ଶକ୍ତ ଧକ୍କା । ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ସିପ୍ରା ମଲ୍ଲିକ । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗ ଦେବା ସହ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ୫ ବିଧାନସଭା ଆସନ ମଧ୍ୟରୁ ୪ଟି ଆସନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଛି ।
କିନ୍ତୁ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ବିଜେଡ଼ି, କଂଗ୍ରେସ ଅବା ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ଏପରିସ୍ଥଳେ ସିପ୍ରା ଏବେ ବିଜେଡ଼ି ଛାଡି କଂଗ୍ରେସ ଶିବିରରେ ଯୋଗଦେବା ଦ୍ବାରା କେନ୍ଦ୍ରାପଡ଼ା ଆସନରେ ହୁଏତ ସେ କଂଗ୍ରେସ ଟିକେଟ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଜୁନ୍ ୨ରେ କେନ୍ଦ୍ରାପଡାରେ ପଡ଼ିବ ଭୋଟ୍ । ନିର୍ବାଚନକୁ ଆହୁରି ଅନେକ ଦିନ ବାକି ଅଛି । ହେଲେ, ଏହି ଆସନରୁ ବିଜେଡ଼ିର ଅନେକ ଆଶାୟୀ ଅଛନ୍ତି, ତେଣୁ ଏତେ ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ । କିନ୍ତୁ ଆଜି ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି ସିପ୍ରା ।
ସେପଟେ ବିଜେଡି ଥୁବା ପୁରଣା ନେତା ମାନେ ପୂର୍ବରୁ କହିଥିଲେ, ଯହି ଆମକୁ ଟିକେଟ ନ ଦେଇ ଆମଦାନୀ ନେତା ବା ଗଣେଶ୍ୱର ବେହେରାଙ୍କୁ ଟିକେଟ୍ ଦିଏ ତେବେ ଆଗାମୀ ଦିନରେ ବିଜେଡିରେ ବିଦ୍ରୋହ ଦେଖାଦେବ ବୋଲି କର୍ମୀମାନେ ଖୋଲାଖୋଲି ଆହ୍ବାନ ଦେଇଛନ୍ତି । ଯାହାକୁ ନେଇ ଫୁଲ ଗରମ ହୋଇଥିଲା କେନ୍ଦ୍ରାପଡା ବିଜେଡ଼ି ରାଜନୀତି ।
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀକୁ ୨୦୦୯ ମସିହାରେ ସଂରକ୍ଷିତ ଆସନ ଭାବେ ଘୋଷଣା କରାଯାଇଥିଲା । ଏହା ପରଠାରୁ ବିଜେଡିର ଡ. ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ ଓ ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଶାସକ ଦଳର ପୂର୍ବତନ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପୁନର୍ବାର ଟିକେଟ ଆଶାୟୀ ଥିଲେ। ତେବେ ବିଜେଡ଼ି ହୁଏତ ସିପ୍ରାଙ୍କ ଉପରେ ଭରସା କରି ନପାରେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ସିପ୍ରା ବିଜେଡି ଛାଡି ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
