ଅର୍ଗସ ବ୍ୟୁରୋ: ବିଜେଡିକୁ ବାଏବାଏ କଲେ ସବୁ ସିନେ ଷ୍ଟାର । ପ୍ରଥମେ ଅରିନ୍ଦମ ରଏ, ତା'ପରେ ସିଦ୍ଧାନ୍ତ ମହାପାତ୍ର ଆଉ ଏବେ ଅନୁଭବ ମହାନ୍ତି ବି ଛାଡିଦେଲେ ବିଜେଡି । ହେଲେ ଏକା ସାଙ୍ଗରେ, ମାତ୍ର କିଛିଦିନ ବ୍ୟବଧାନରେ ସିନେଷ୍ଟାରମାନେ ଦଳ ଛାଡିଥିବାରୁ ଏଥର ପ୍ରଚାରରେ କେମିତି ଓ କିଏ ମଙ୍ଗ ଧରିବେ ପ୍ରଚାରର ? କେମିତି ଲୋକ ହେବେ ଏକାଠି ସେନେଇ ଚିନ୍ତାରେ ଶୀର୍ଷ ନେତୃତ୍ଵ ।
ଗୋଟିଏ ଦିନରେ ବିଜେଡିକୁ ଅଲବିଦା କହିଦେଲେ ଦୁଇ ସିନେ ଷ୍ଟାର । ପୂର୍ବରୁ ଅରିନ୍ଦମ ରୟ, ପରେ ସିଦ୍ଧାନ୍ତ ମହାପାତ୍ର ଆଉ ଆଜି ଗୋଟିଏ ଦିନରେ ଆକାଶଙ୍କ ସହ ଅନୁଭବ ଛାଡିଲେ ଶଙ୍ଖର ହାତ । ଏହାରି ଭିତରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି, ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବି ଘୋଷଣା କରିସାରିଛି । ହେଲେ ନିଇତି ଯେମିତି ନେତାଏ ଦଳ ଛାଡୁଛନ୍ତି ତାହାକୁ ନେଇ ଏବେ ଚିନ୍ତାରେ ବିଜେଡି ।
ଏଠାରେ କହିରଖୁଛୁ କି, ଅନୁଭବ ଥରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ତେବେ ଅନୁଭବଙ୍କ ଇସ୍ତଫା ବିଜେଡି ପାଇଁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ଆଜି ସକାଳୁ ସକାଳୁ ଆକାଶ ଦାଶ ନାୟକ ବି ଦଳ ଛାଡ଼ିଥିଲେ । ଅନ୍ତରଆତ୍ମାର ସ୍ୱର, ଆତ୍ମସମ୍ମାନ, ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଥିଲେ ଆକାଶ । ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ । ଆଗାମୀ ଦିନରେ କୋରେଇ ବାସୀଙ୍କ ଭଲ ପାଇବାକୁ ପାଥେୟ କରି ମୋର ସମର୍ଥକ ଓ ସାଥୀଙ୍କ ପରାମର୍ଶରେ ମୋର ଆଗାମୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବି ବୋଲି କହିଛନ୍ତି ଆକାଶ । ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ କୋରେଇ ବିଧାୟକ ଥିଲେ । ମୋଟ୍ ଉପରେ ବଡ ଷ୍ଟାରମାନେ ବିଜେଡି ଛାଡୁଥିବାରୁ ଏବେ ଟେନସନ୍ରେ ଛାମୁଆ ନେତା ।