ସବୁଠାରୁ ଧିମା ଟ୍ରେନ, 46 କି.ମିକୁ ଲାଗେ 5 ଘଣ୍ଟା


 ଅର୍ଗସ ବ୍ୟୁରୋ : ଭାରତର ସବୁଠାରୁ ମନ୍ଥର ଗତିରେ ଯାଉଥିବା ଟ୍ରେନ ହେଉଛି ମେଟୁପାଲାୟମ ଉଟି ନୀଳଗିରି ଯାତ୍ରୀବାହୀ ଟ୍ରେନ୍ । ଏହି ଟ୍ରେନଟି ମେଟୁପାଲାୟମ୍ ରୁ ଊଟି ପର୍ଯ୍ୟନ୍ତ ଯାତ୍ରା କରିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୪୬ କିଲୋମେଟରର ରାସ୍ତା ଅତିକ୍ରମ କରିବା ପାଇଁ ଏହି ଟ୍ରେନ ୫ ଘଣ୍ଟା ସମୟ ନେଇଥାଏ। ଯାହା ସାଧାରଣ ଟ୍ରେନର ଗତି ଠାରୁ ୧୬ ଗୁଣ ଧିମା। କିନ୍ତୁ ତା ପରେ ବି ଏହି ଟ୍ରେନରେ ଯିବାକୁ ଲୋକେ ପାଗଳ। ତେବେ ଆଜି ଆମେ ଆପଣଙ୍କୁ ଏହି ଟ୍ରେନ ବିଷୟରେ ଜଣାଇବୁ।

ବାସ୍ତବରେ ଏହି ଟ୍ରେନଟି ପାହାଡ଼ିଆ ଅଞ୍ଚଳ ଦେଇ ଚାଲୁଥିବା ଯୋଗୁଁ ଏପରି ଧିମା ଯାଇଥାଏ । କିନ୍ତୁ ଯାତ୍ରା ମଧ୍ୟରେ ଏତେ ସୁନ୍ଦର ଏବଂ ମନୋଲୋଭାକର ଦୃଶ୍ୟ ଦେଖାଇଥାଏ ଯାହା ଆପଣଙ୍କୁ ବି ବିମୋହିତ କରିଦେବ। ଗୋଟେ ପଟେ ଭାରତୀୟ ରେଳ ବିଭାଗ ଟ୍ରେନର ଗତି କ୍ଷିପ୍ର କରାଇବାରେ ଲାଗିଛି ଆଉ ଅନ୍ୟପଟେ ମେଟୁପାଲାୟମ୍ ରୁ ଊଟି ଯାଉଥିବା ଏହି ଟ୍ରେନ ଯିଏ ଘଣ୍ଟା ପ୍ରତି ମାତ୍ର 10 କିଲୋମେଟର ବେଗରେ ଯାଇଥାଏ। 46 କିଲୋମିଟର ଯାତ୍ରା ସମୟରେ ଏହି ଟ୍ରେନ୍ ଅନେକ ଟନେଲ୍ ଏବଂ 100 ରୁ ଅଧିକ ବ୍ରିଜ୍ ଦେଇ ଯାଇଥାଏ ତାସହିତ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରାକୃତିକ ଦୃଶ୍ୟ ଯେମିତି କି ପାହାଡ ,ପର୍ବତ, ଘଞ୍ଚ ଜଙ୍ଗଲ ,ଉପତ୍ୟକା , ଚା ବଗିଚା ଆଦି ଦୃଶ୍ୟ ଦେଖାଇଥାଏ। କିନ୍ତୁ ସବୁଠାରୁ ସୁନ୍ଦର ଏବଂ ଚମତ୍କାର ଦୃଶ୍ୟ ମେଟୁପାଲାୟମରୁ କୁନୁର ମଧ୍ୟରେ ଥାଏ ଯାହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ତେବେ ମେଟୁପାଲାୟମ ଉଟି ନୀଳଗିରି ଯାତ୍ରୀବାହୀ ଟ୍ରେନ୍ ର ଯାତ୍ରାକୁ ଏକ ପର୍ଯ୍ୟଟନ ସ୍ଥାନ କହିଲେ ମଧ୍ୟ କିଛି ଭୁଲ ହେବନାହିଁ। ୟୁନେସ୍କୋ ମଧ୍ୟ ଏହି ଟ୍ରେନକୁ ବିଶ୍ୱର ଏକ ଐତିହ୍ୟ ସ୍ଥାନ ଭାବରେ ଘୋଷଣା କରିଛି।

ଅଧିକ ପଢନ୍ତୁ ଭାରତ ଖବର

Post a Comment (0)
Previous Post Next Post