ଅର୍ଗସ ବ୍ୟୁରୋ : ଓଃ...ଜନ୍ମକଲା ପୁଅର କଥା କହିଲା ବେଳକୁ ଆଖିର ଲୋହ ବୋଲ ମାନୁନି କି ଛାତିର କୋହକୁ ଛପେଇ ହେଉନି । ବୋଲ ମାନିବ ବା କେମିତି ? କାରଣ ଭେଣ୍ଡା ପୁଅ ଯେତେବେଳେ ଟଙ୍କା ପାଇଁ ବାପା-ମାଆଙ୍କ ଉପରେ ଜୁଲମ୍ କରେ ସେତେବେଳେ ବୋଧହୁଏ ଏମିତି କଇଁକଇଁ କାନ୍ଦିବାକୁ ବାପା-ମାଆ ବାଧ୍ୟ ହୁଅନ୍ତି । ଇଏ ବି କଳିଯୁଗର କୁଳାଙ୍ଗାର ପୁଅ । ସେଇଥି ଲାଗି ତ ବାପା-ମାଆଙ୍କ ମୁହଁରେ ଦାନା ଦେବା ପରିବର୍ତ୍ତେ ଅଣ୍ଟାକୁ ନାଦି ଦେଉଛି ବିଧା ଗୋଇଁଠା ।
ଦୃଶ୍ୟ ହେଉଛି ବାଙ୍କୀ ଡମପଡା ବ୍ଲକ ତାଳବସ୍ତ ଗ୍ରାମର ମନ୍ଦିର ସାହିର । ଏହି ଗାଁର ଗୋପୀ ପ୍ରଧାନଙ୍କ ଏକ ମାତ୍ର ଭେଣ୍ଡିଆ ପୁଅ ଯୋଗେଶ । ବୟସ ୨୬ ବର୍ଷ ଅନେକ ଦେବାଦେବୀଙ୍କୁ ପୂଜି ପୁଅ ପାଇଥିଲେ ଏହି ବୃଦ୍ଧ ଦମ୍ପତ୍ତି। ନିଜ ପିଲାକୁ ମଣିଷ କରିବା ପାଇଁ ଅନେକ କଷ୍ଟ କରିଥିଲେ । ହେଲେ ପୁଅ ବଡ ହେଉହେଉ ବାପା ମାଆଙ୍କୁ ପୋଷିବା ବଦଳରେ ଜୋର ଜବରଦସ୍ତି ବାପା ମାକୁ ଟଙ୍କା ମାଗୁଥିଲା । ଆଉ ଟଙ୍କା ନଦେଲେ ବାପା ମାଆଙ୍କୁ ମାଡ ମାରିବା ସହ ଘରୁ ତଡି ଦେଉଥିଲା ।
ଯଦି ବାପା ମାଆଙ୍କୁ କିଏ ଗାଁ ଲୋକେ ଆଶ୍ରୟ ଦେଉଥିଲେ , ତେବେ ତାଙ୍କୁ ବି ଗାଳି କରିବାକୁ ପଛାଉ ନଥିଲା ପୁଅ । ଘରେ ଖାଇବାକୁ ନଦେବାରୁ ଅନ୍ୟମାନଙ୍କ ଘରୁ ମାଗିକି ଖାଉଛନ୍ତି ବାପା
ମାଆ । ସେପଟେ ଯୋଗେଶଙ୍କୁ କଣ ରୋଜଗାର କରୁଛୁ ବୋଲି ପଚାରିବାରୁ ମୁଁ କାହିଁକି ତମକୁ କହିବି ବୋଲି ଜବାବ ଦେଉଛି କୁଳାଙ୍ଗାର ପୁଅ । ଏବେ ବୟସର ଅପରାହ୍ନରେ ବିନା ପୁଅର ସହାୟତେ କେମିତି ବାକିତକ ଜୀବନ କାଟିବେ ତାଙ୍କୁ ନେଇ ଚିନ୍ତାରେ ଏହି ଦୁଇ ବୃଦ୍ଧା ବାପା ମାଆ । ସେପଟେ ବାପା ମାଆଙ୍କୁ ଏଭଳି ପୁଅ କବଳରୁ ରକ୍ଷା କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।