ଓଡ଼ିଶାରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ବା ପିଏମ ଉଷା

 


ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ବା ପିଏମ ଉଷା। PM-USHA ଯୋଜନାରେ ଓଡିଶାକୁ ମିଳିବ ୬୭୦ କୋଟି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ PM-USHA ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ୍ ବୋର୍ଡ ବୈଠକରେ ଏହି ଆର୍ଥିକ ଅନୁମୋଦନ ପାରିତ ହୋଇଛି । ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୁରଭଞ୍ଜର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷା ଓ ଗବେଷଣାର ବିକାଶ ନିମନ୍ତେ ସର୍ବମୋଟ ୪୦୦ କୋଟି ଟଙ୍କା ପାଇବେ । ସେହିପରି ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଥିବା ବିଶ୍ବବିଦ୍ୟାଳୟ ଯଥା- କୋରାପୁଟର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ସମ୍ବଲପୁରର ବିକାଶ ନିମନ୍ତେ ମଧ୍ୟ ୨୦ କୋଟି ଟଙ୍କା ପ୍ରଦାନ କରାଯିବ । PM-USHAର କାର୍ଯ୍ୟକାରିତା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ନିଜ ନିଜ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ଏକ DPR ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ । ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍, ଲାବ୍ରୋଟୋରି, କମ୍ପ୍ୟୁଟର ଲାବ୍ରୋଟୋରୀ, ଏକାଡେମିକ ବିଲଡିଂ, ଲାଇବ୍ରେରୀ, ଇ- ଲାଇବ୍ରେରୀ ଆଦିର ନିର୍ମାଣ କରାଯିବ । ସେହିପରି ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚକୋଟିର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Post a Comment (0)
Previous Post Next Post