Highlights
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବାମୁଣିଆଗୁଡା ଠାରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷରେ ହେଉଥିବା ଲାଭ ସମ୍ପର୍କରେ ଚାଷୀ ଓ ବୈଜ୍ଞାନିକ ମଧ୍ୟରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବାମୁଣିଆଗୁଡା ଠାରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷରେ ହେଉଥିବା ଲାଭ ସମ୍ପର୍କରେ ଚାଷୀ ଓ ବୈଜ୍ଞାନିକ ମଧ୍ୟରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥାନ( ସିଫା) ଓ ଜୀବ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ବର ପକ୍ଷରୁ ଦିବିଟୀ କିଷାନ ହବ୍ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଫାର ପ୍ରଧାନ ବୈଜ୍ଞାନିକ ଓ ଜୈବ ପ୍ରଯୁକ୍ତି ବିଭାଗର ମୁଖ୍ୟ ଡକ୍ଟର ଜିତେନ୍ଦ୍ର କୁମାର ସୁନ୍ଦର ରାୟ ଯୋଗ ଦେଇ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷରେ ହେଉ ଥିବା ଲାଭ ବିଷୟରେ ଆଲୋକପାତ କରିଥଲେ।
ମାଛ ଚାଷରେ ପୋଖରୀ ପରିଚାଳନା ,ରୋଗ ଓ ମାଛ ଖାଦ୍ୟର ଭୂମିକା, ଉନ୍ନତ ମାନର ଜାଆଁଳା ବ୍ୟବହାର ଦ୍ଵାରା ଲାଭ ବାବଦରେ କହିଥିଲେ । ଜୟନ୍ତୀ ରହୁ ଓ ସିଫl ଅମୃତ ଭlକୁର ମାଛ ଚାଷ ଦ୍ବାରା ମାଛ ଚାଷରେ ହେଉଥିବା ଲାଭ ସମ୍ପର୍କରେ ବୁଝାଇଥିଲେ ।
ଉମରକୋଟ ବ୍ଲକର ମତ୍ସ୍ୟ ଉଦ୍ୟୋଗୀ ସୁଜିତ୍ ଦାସ ଜାଆଁଳା ଚାଷରେ ହେଉଥିବା ଲାଭ, ପୋଖରୀରେ ଚୂନ ପ୍ରୟୋଗ, ମାଟି ଓ ପାଣିର ପରୀକ୍ଷା ଆବଶ୍ୟକ ସମ୍ପର୍କରେ କହିଥିଲେ । ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କଲେ ଏକର ପ୍ରତି 3 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଲାଭ ହୋଇପାରିବ ବୋଲି କହିଥିଲେ ।
ବୋରିଗୁମ୍ମା ବ୍ଲକର ଜୀବିକା କୁର୍ଡିନେଟର ଦେବେନ୍ଦ୍ର କୁମାର ପଣ୍ଡା, ବୋରିଗୁମ୍ମା ବ୍ଲକର 50 ରୁ ଅଧିକ ଚାଷୀ ଯୋଗ ଦେଇ ମାଛ ଚାଷ ସମ୍ପର୍କରେ ହେଉଥିବା ସମସ୍ୟା ବାବଦରେ ବୈଜ୍ଞାନିକ ଓ ବିଶେଷଜ୍ଞ ଠାରୁ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ସଂଚାରକ ଲକ୍ଷ୍ମୀ ନାରୟଣ ବକ୍ସି ପରିଚାଳନା କରିଥିବାବେଳେ ସୂର୍ଯ୍ୟ ନାରାୟଣ ପଣ୍ଡା, ଶିଶିର ଷଡଙ୍ଗୀ ସହ ଯୋଗ କରିଥିଲେ ।