ମୋଦି ଗ୍ୟାରେଣ୍ଟି ଉପରେ ଦିଲ୍ଲୀବାସୀଙ୍କ ଅଟଳ ବିଶ୍ୱାସର ବିଜୟ...

 ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍ ର ଶୋଚନୀୟ ପରଜାୟ ଓ ବିଜେପିର ବଡ଼ ବିଜୟକୁ ନେଇ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଡ ବଡ ନେତା ମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଦିଲ୍ଲୀର ଲୋକମାନେ ଦେଖାଇ ଦେଇଛନ୍ତି ଯେ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଭ୍ରମିତ କରାଯାଇପାରିବ ନାହିଁ । ନିଜ ଭୋଟ ଜରିଆରେ ଜନସାଧାରଣ ଅପରିଷ୍କାର ଯମୁନା, ମଇଳା ପାନୀୟ ଜଳ, ଭଙ୍ଗା ରାସ୍ତା, ଉଛୁଳି ପଡୁଥିବା ନର୍ଦ୍ଦମା ଏବଂ ପ୍ରତ୍ୟେକ ରାସ୍ତାରେ ଖୋଲାଥିବା ମଦ ଦୋକାନ ପ୍ରତି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଦିଲ୍ଲୀରେ ମିଛ ଶାସନର ଅନ୍ତ ହୋଇଛି । ଏହା ଅହଙ୍କାର ଏବଂ ଅରାଜକତାର ପରାଜୟ । ମୋଦିଙ୍କ ଗ୍ୟାରେଣ୍ଟି ଓ ସୁଶାସନର ଉପରେ ଦିଲ୍ଲୀବାସୀ ବିଶ୍ୱାସ ଜନ୍ମାଇଛନ୍ତି । ଏହି ବିପୁଳ ଜନାଦେଶ ପାଇଁ ଦିଲ୍ଲୀବାସୀଙ୍କ ପ୍ରତି ହୃଦୟରୁ କୃତଜ୍ଞତା ବୋଲି କହିଛନ୍ତି ଅମିତ ଶାହ । ମୋଦିଜୀଙ୍କ ନେତୃତ୍ୱରେ, ବିଜେପି ତାର ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ଏବଂ ଦିଲ୍ଲୀକୁ ବିଶ୍ୱର ନମ୍ବର 1 ରାଜଧାନୀ କରିବାକୁ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।



କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଏହା ଲେଖିଛନ୍ତି ଯେ ଦିଲ୍ଲୀର ହୃଦୟରେ ମୋଦି ଅଛନ୍ତି । ଦିଲ୍ଲୀରେ ଜନତାଙ୍କ ଅପାର ଆଶୀର୍ବାଦ ଏବଂ ଐତିହାସିକ ଜନାଦେଶ ସ୍ପଷ୍ଟ କରିଛି ଯେ ମୋଦି ଦିଲ୍ଲୀବାସୀଙ୍କ ହୃଦୟରେ ଅଛନ୍ତି । ଏବଂ ମୋଦି ଯାଦୁର କୌଣସି ବିକଳ୍ପ ନାହିଁ । ଏହି ମହାନ ବିଜୟ ଦିଲ୍ଲୀବାସୀଙ୍କ ବିଜୟ, ଏହା ମାନ୍ୟବର ପ୍ରଧାନମନ୍ତ୍ରୀଜୀଙ୍କ ଗ୍ୟାରେଣ୍ଟି ଉପରେ ଦିଲ୍ଲୀବାସୀଙ୍କ ଅଟଳ ବିଶ୍ୱାସର ବିଜୟ । ଦିନ ରାତି ପରିଶ୍ରମ କରିଥିବା ବିଜେପିର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଟ୍ୱିଟ୍ କରି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



ଦିଲ୍ଲୀରେ ବିଜେପିର ବୃହତ ବିଜୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ମୋଦିଜୀଙ୍କ ନେତୃତ୍ତ୍ୱ ଏବଂ ସୁଶାନ ଯୋଗୁଁ ଆମେ ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିତିପାରିଛୁ । ଏହି ଚମତ୍କାର ବିଜୟ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ସଭାପତି ଜେପି ନଡ୍ଡା, ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏବଂ ସମସ୍ତ ଦଳୀୟ କର୍ମୀଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।



ପ୍ରାୟ ୨୭ ବର୍ଷ ପରେ, ଦିଲ୍ଲୀର ଲୋକମାନେ ବିଜେପି ଉପରେ ସେମାନଙ୍କର ବିଶ୍ୱାସ ଏବଂ ଆଶୀର୍ବାଦ ଦେଇଛନ୍ତି । ଏଥିପାଇଁ ମୁଁ ଦିଲ୍ଲୀବାସୀଙ୍କ ପ୍ରତି କୃତଜ୍ଞତା ଜଣାଉଛି । ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ, ଏକ ବିକଶିତ ଦିଲ୍ଲୀ ଅତ୍ୟାବଶ୍ୟକ। ଏହି ବିଜୟ ପରେ, ଡବଲ ଇଞ୍ଜିନ ସରକାର ଦିଲ୍ଲୀର ବିକାଶକୁ ନୂତନ ଗତି ଦେବ ବୋଲି ସେ କହିଛନ୍ତି ।


ସେହିପରି ଦିଲ୍ଲୀରେ ବିଜେପିର ବିଜୟକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଲେଖିଛନ୍ତି ବିପର୍ଯ୍ୟୟରୁ ମୁକ୍ତି ମିଳିଛି ।



ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ସେଥିପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟଳୟରେ ବିଜୟ ଉତ୍ସବ ପାଇଁ ବିଜେପି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ବଜାଇ, ନାଚ ଗୀତ କରି ପରସ୍ପରକୁ ଲଡୁ ଖୁଆଇ ସେଲିବ୍ରେଟ୍ କରୁଛନ୍ତି କର୍ମୀ ଓ ନେତା । ପ୍ରଧାନମନ୍ତ୍ରୀଙ୍କ ପାଇଁ ଏ ବିଜୟ ବୋଲି କହିଛନ୍ତି ବିଜେପି କର୍ମୀ ଓ ନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ପାଇଁ ଏହା ସମ୍ଭବ ହୋଇପାରିଛି । ବିକଶିତ ଭାରତ ସହ ବିକଶିତ ଦିଲ୍ଲୀ ନିର୍ମାଣ ହେବ । କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଚେଷ୍ଟା କରିଥିଲେ ଯାହା ବିଫଳ ହୋଇଛି ବୋଲି କହିଛନ୍ତି ବିଜେପି କର୍ମୀ । ସମଗ୍ର ଭାରତ ବର୍ଷରେ ମୋଦିଙ୍କ ନେତୃତ୍ୱ ସମସ୍ତେ ଗ୍ରହଣ କରିଛନ୍ତି । ସଫଳ ନେତୃତ୍ୱ ଏବଂ ଅମିତ ଶାହାଙ୍କ ସଫଳ ରଣନୀତି କାର୍ଯ୍ୟକାର୍ତ୍ତାଙ୍କ ପରିଶ୍ରମ ଦିଲ୍ଲୀ ବିଜୟର କାରଣ ବୋଲି କୁହାଯାଉଛି ।


ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦିଲ୍ଲୀର ସମସ୍ତ ଭାଇ, ଭଉଣୀଙ୍କୁ ଧନ୍ୟବାଦ । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ମୁଁ ଗର୍ବିତ । ଯେଉଁମାନେ ଦିଲ୍ଲୀ ନିର୍ବାଚନରେ ଦିନ ରାତି କଠିନ ପରିଶ୍ରମ କରିଛନ୍ତି । ଆଗାମୀ ଦିନରେ ଦିଲ୍ଲୀବାସୀଙ୍କ ପାଇଁ ଆମେ ଆହୁରି ପରିଶ୍ରମ କରିବୁ ।




ସୂଚନାଯୋଗ୍ୟ, ଖବର ଲେଖା ହେବା ସୁଦ୍ଧା ବିଜେପି ହାତେଇଛି 48 ସିଟ୍ ଏବଂ ଆପ୍ ହାତେଇଛି 22ଟି ସିଟ୍ । ଆଉ କଂଗ୍ରେସ ଖାତା ଖୋଲିପାରିନାହିଁ ।

Post a Comment (0)
Previous Post Next Post