ସାରା ଓଡ଼ିଶାରେ ଏବେ ବାରବାଟୀ ଫିଭର । ଗଳିକନ୍ଦିରେ ବାରବାଟୀ ମ୍ୟାଚ୍କୁ ନେଇ ଚର୍ଚ୍ଚା । କିଏ ଟିକେଟ୍କୁ ନେଇ ଚର୍ଚ୍ଚା କରୁଛି ତ କିଏ ଖେଳାଳିଙ୍କୁ ନେଇ । ଆଉ କିଏ ଖେଳକୁ ନେଇ । ତେବେ ତଥ୍ୟ କହୁଛି ବାରବାଟୀରେ ସବୁବେଳେ ଭାରତର ଦବ୍ଦବା ରହିଆସିଛି । ରେକର୍ଡ ଅନୁସାରେ ବାରବାଟୀରେ ଖେଳାଯାଇଛି ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ । ଏହାମଧ୍ୟରୁ ୧୭ଟି ମ୍ୟାଚ୍ ଖେଳିଛି ମେନ୍ ଇନ୍ ବ୍ଲୁ । ସେଥିରୁ ୧୩ଟିରେ ବିଜୟୀ ହୋଇଛି ଦଳ । ଦୁଇଥର ଇଂଲଣ୍ଡ ଠାରୁ, ଥରେ ଶ୍ରୀଲଙ୍କା ଓ ଥରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଛି ।
ସବୁଠାରୁ ବଡ଼ କଥା ହେଲା, ୨୦୦୭ ପରଠାରୁ ବାରବାଟୀରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅପରାଜେୟ ରହିଛି ଭାରତ । ବାରବାଟୀ ପିଚ୍ରେ ପାଞ୍ଚଥର ଦିନିକିଆ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଆଉ ବିଜୟ ରେକର୍ଡ ରହିଛି ୩-୨ । ଅର୍ଥାତ ଭାରତ ୩ ଥର ଜିତିଥିବା ବେଳେ ଇଂଲଣ୍ଡ ୨ ଥର ଜିତିଛି ।୨୭ ଜାନୁଆରୀ ୧୯୮୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଏହାପରେ ୧୯୮୪ ଡିସେମ୍ୱର ୨୭ରେ ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ ମଧ୍ୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ପରେ ୨୦୦୨, ୨୦୦୮ ଓ ୨୦୧୭ରେ ବାରବାଟୀ ମୈଦାନରେ ତିନିଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏହି ତିନୋଟି ମ୍ୟାଚରେ ବାଜିମାତ୍ କରିଛି ଟିମ ଇଣ୍ଡିଆ । ୧୯ ଜାନୁଆରୀ ୨୦୧୭ରେ ଶେଷ ଥର ପାଇଁ ବାରବାଟୀରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ । ୧୫ ରନରେ ଏହି ମ୍ୟାଚକୁ ଜିତିଥିଲା ଭାରତୀୟ ଟିମ ।
୨୦୧୯ ଡିସେମ୍ୱର ୨୨ରେ ଭାରତୀୟ ଟିମ ବାରବାଟୀ ଷ୍ଟାଡିୟମରେ ଖେଳିଥିଲା ଶେଷ ଦିନିକିଆ ମ୍ୟାଚ୍ । ପ୍ରତିପକ୍ଷ ଟିମ ଥିଲା ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚକୁ ମଧ୍ୟ ୪ ୱିକେଟରେ ଜିତି ନିଜ ନାମରେ କରିଥିଲା ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟ୍ ୧୦୭ଟି ଏକଦିବସୀୟ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୫୮ଟି ଭାରତ ଜିତିଥିବାବେଳେ, ୪୪ଟିରେ ବିଜୟୀ ହୋଇଛି ଇଂଲଣ୍ଡ ।
ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାର ଆରମ୍ଭ ହୋଇଛି। ନାଗପୁରରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଜିତି ନେଇଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ଵାଧିନ ଭାରତ ୪ ୱିକେଟ୍ରେ ଇଂଲଣ୍ଡକୁ ହରାଇଛି । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଜିତି ରୋହିତ ବାହିନୀ ୧-୦ରେ ଆଗୁଆ ରହିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନ୍ରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ୩୮.୪ ଓଭରରେ ୬ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଶୁଭମନ ଗିଲ୍ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶ୍ରେୟସ ଆୟର ୫୯ ଓ ଅକ୍ଷର ପଟେଲ ୫୨ ରନ୍ ସ୍କୋର କରିଥିଲେ । ସେହିଭଳି ହର୍ସିତ ଓ ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରଥମ ମ୍ୟାଚରେ ୯୬ ବଲ୍ରେ ୮୭ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ ଶୁଭମନ ଗିଲ୍ । ଗିଲ୍ ଓ ଅକ୍ଷର ୧୯୭ ବଲ୍ରେ ୧୦୮ ରନର ପାର୍ଟନରସିପ୍ କରିଥିଲେ ।
ସେପଟେ ଇଂଲଣ୍ଡ ପକ୍ଷରୁ ଜୋସ ବଟଲର ସର୍ବାଧିକ ୫୨ ରନ୍ ଓ ଜାକୋବ ବେଥେଲ୍ ୫୧ ରନ୍ କରିଥିବା ବେଳେ ଫିଲ୍ ସଲ୍ଟ ୪୩ ରନ୍ କରିଥିଲେ । ସାକିବ ମହମୁଦ ଓ ଆଦିଲ୍ ରସିଦ୍ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ ।