ଅପରାହ୍‌ଣରେ ଭୁବନେଶ୍ଵରରେ ପହଞ୍ଚିବ ମରଶରୀର, ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ

 ଭୁବନେଶ୍ଵର: ଦେହାନ୍ତ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଉଛି । ଏୟାର ଇଣ୍ଡିଆର ବିମାନ ଯୋଗେ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବ । ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଦଳୀୟ କାର୍ଯ୍ୟାଳୟକୁ ନିଆଯିବ ।

ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯିବ । ସେଠାରେ ସାଧାରଣ ଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିବେ । ଏହାପରେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।


ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଫୋନ୍ ଯୋଗେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥା ହୋଇଛନ୍ତି ।


ଡାକ୍ତରୀ ପେସାରୁ ରାଜନୀତିକୁ ଆସି ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ପରିବହନ ମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ମଧ୍ୟ ତୁଲାଇ ଥିଲେ । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଏନ୍‌ଡିଏ ନେତୃତ୍ଵାଧିନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦେବେନ୍ଦ୍ର ପ୍ରଧାନ ପରିବହନ ଓ କୃଷି ମନ୍ତ୍ରୀ ରହିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ପେସାରେ ଡାକ୍ତର ଥିଲେ ଦେବେନ୍ଦ୍ର ।


କଟକ ଏସ୍‌ସିବି ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ ପାସ୍ କରିବା ପରେ ତାଳଚେର ଡେରାରେ ଅତିରିକ୍ତ ମେଡିକାଲ୍ ଅଫିସର ଭାବେ ୧୯୬୭ରେ ଚାକିରି ଆରମ୍ଭ କରିଥିଲେ । ୧୯୭୩ରେ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ଘରୋଇ ଭାବେ ସେବା ଯୋଗାଇ ଆସୁଥିଲେ । ଏହା ପରେ ୧୯୮୦ରେ ରାଜନୀତିକୁ ଆସନ୍ତି ଡକ୍ଟର ଦେବେନ୍ଦ୍ର ପ୍ରଧାନ । ବିଜେପିରେ ଯୋଗ ଦେବା ସହ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ପାଲଟନ୍ତି ବିଜେପିର ବଡ଼ ଚେହେରା । ପ୍ରଥମ ବ୍ଲକ ସଭାପତି ଦାୟିତ୍ଵ ମିଳେ ।


ଏହା ପରେ ୧୯୮୩ରୁ ୧୯୮୫ ଓ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ଦାୟିତ୍ଵ ତୁଲାନ୍ତି । ୧୯୮୮ରେ ହୁଅନ୍ତି ରାଜ୍ୟ ବିଜେପି ସଭାପତି । ୧୯୯୦ରେ ପୁଣି ରାଜ୍ୟ ସଭାପତି ଭାବେ ପୁନଃ ନିର୍ବାଚିତ ହୁଅନ୍ତି । ତା ପରେ ୧୯୯୫ରୁ ୧୯୯୭ ଯାଏଁ ପୁନଃଶ୍ଚ ମିଳେ ରାଜ୍ୟ ବିଜେପି ସଭାପତି ପଦ ।


୧୯୯୮ରେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ପ୍ରଥମଥର ଲୋକସଭାକୁ ନିର୍ବାଚିତ ହେବା ସହ ବାଜପେୟୀ ସରକାରରେ ହୋଇଥିଲେ କେନ୍ଦ୍ର ରାଷ୍ଟ୍ର ପରିବହନ ମନ୍ତ୍ରୀ । ପୁଣି ଥରେ ୧୯୯୯ରେ ଦେବେନ୍ଦ୍ର ଲୋକସଭାକୁ ନିର୍ବାଚିତ ହୁଅନ୍ତି । ତାଙ୍କୁ ପୁଣି ଥରେ ପରିବହନ ସହ କୃଷି ବିଭାଗ ମିଳେ । ୧୯୯୯ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସେ ଦୁଇ ବିଭାଗର ଦାୟିତ୍ଵ ତୁଲାନ୍ତି । ଏହା ପରେ ୨୦୦୧ରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ।


Post a Comment (0)
Previous Post Next Post