ଭୁବନେଶ୍ଵର: କାଳବୈଶାଖୀ ତାଣ୍ଡବ ପରେ ରାଜ୍ୟରେ ପାଗ ବଦଳୁଛି । ବିଭିନ୍ନ ସ୍ଥାନରେ ପାରଦ ବଢ଼ିବା ସହ ଆରମ୍ଭ ହୋଇଛି ଗୁଳୁଗୁଳି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୩ ଦିନ ମଧ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ ।
କେବଳ ଦିନ ନୁହେଁ ରାତି ତାପମାତ୍ରା ମଧ୍ୟ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୩ ଡିଗ୍ରୀ ପାରଦ ବଢ଼ିପାରେ । ବୁଧବାର ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଛି । ତେଣୁ ଆଗକୁ ପାରଦ ୪୨ ଟପିବା ଆଶଙ୍କା କରାଯାଉଛି ।
୨୯ ଓ ୩୦ ତାରିଖରେ ହିଟ୍ ୱେଭ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାକୁ ହିଟ୍ୱେଭ୍ ଆଲର୍ଟ ରହିଥିବା ବେଳେ କାଳବୈଶାଖୀ ନେଇ କୌଣସି ସତର୍କ ସୂଚନା ନାହିଁ ।