ପଶୁ ପକ୍ଷୀଙ୍କ ଆର୍ତ୍ତ ଚିତ୍କାର...ଭୂଇଁରେ ଲୋଟି ପଡିଛି ଶହ ଶହ ଗଛ

 ହାଇଦ୍ରାବାଦ ସେଣ୍ଟ୍ରାଲ୍ ୟୁନିଭରସିଟି କ୍ୟାମ୍ପସ ନିକଟରେ ଥିବା 400 ଏକର ପରିମିତ କାଞ୍ଚା ଗଚ୍ଛିବୋଲି ଜଙ୍ଗଲ । ଯାହା ରଙ୍ଗା ରେଡ୍ଡୀ ଜିଲ୍ଲାରେ ଅବସ୍ଥିତ । ଯାହାକୁ କୁହାଯାଏ ହାଇଦ୍ରାବାଦର ଫୁସ୍ ଫୁସ୍ । ସୂଚନା ମୁତାବକ ଜଙ୍ଗଲ କଟାଯାଇ ଆଇଟି ପାର୍କ ନିର୍ମାଣ କରିବେ ସରକାର ।


ଆନ୍ତର୍ଜାତୀୟ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ 30 ମାର୍ଚ୍ଚ ରୁ ଏପ୍ରିଲ 2 ମଧ୍ୟରେ ପାଖାପାଖି 2 ବର୍ଗ କିଲୋମିଟର ପର୍ଯ୍ୟନ୍ତ ଗଛ ଗୁଡିକୁ କଟାଯାଇଛି । ଆଉ ଏ ଗଛ କାଟିବା ପାଇଁ 50 ରୁ ଉର୍ଦ୍ଧ୍ୱ ଡ୍ରୋଜର କାଞ୍ଚା ଗଚ୍ଛିବୋଲି ଜଙ୍ଗଲରେ ନିୟୋଜିତ କରାଯାଇଥିଲା ।



ହେଲେ ଏହି ଘଟଣା ଜଣାପଡିବା ପରେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର ଛାତ୍ରଛାତ୍ରୀ, ପରିବେଶବିତ, କିଛି ସ୍ଥାନୀୟ ଲୋକ ଲଗାତାର ଏନେଇ ବିରୋଧ ପ୍ରଦର୍ଶନ କରିଥିଲେ । ବାରମ୍ବାର ବିରୋଧ କରିବା ପରେ ତେଲେଙ୍ଗାନା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଆଇଟି ପାର୍କ ପାଇଁ 400 ଏକର ଜାଗାରେ ଗଛ କଟା ଉପରେ ରୋକ ଲଗାଇଦେଇଛନ୍ତି । ତେବେ ଏହି ଘଟଣା ପରେ ରାଜନୀତି ଜୋର୍ ଧରିଛି । ଗୋଟେ ପକ୍ଷ ଆଇଟି ପାର୍କ ନିର୍ମାଣ ବିରୋଧରେ କହୁଥିବାବେଳେ ଅନ୍ୟ ଗୋଷ୍ଠୀ ପାର୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । କହିଛନ୍ତି ପାର୍କ ହେଲେ 5 ଲକ୍ଷ ଚାକିରି ସୃଷ୍ଟି ହେବ ।


ହେଲେ ସେ ଯାହା ହେଉ ନା କାହିଁକି...ଯଦି ISFR 2023 ରିପୋର୍ଟକୁ ଦେଖିବା ଦେଶରେ ମୋଟ ଜଙ୍ଗଲ ଏବଂ ବୃକ୍ଷ ଆଚ୍ଛାଦନ 8,27,357 ବର୍ଗ କିଲୋମିଟର । ଯାହା ଦେଶର ଭୌଗୋଳିକ କ୍ଷେତ୍ରଫଳର 25.17 ପ୍ରତିଶତ । କେବଳ ଜଙ୍ଗଲ ଆଚ୍ଛାଦନର କ୍ଷେତ୍ରଫଳ ହେଉଛି 7,15,343 ବର୍ଗ କିଲୋମିଟର (21.76%) ଯେତେବେଳେ ବୃକ୍ଷ ଆଚ୍ଛାଦନର କ୍ଷେତ୍ରଫଳ 1,12,014 ବର୍ଗ କିଲୋମିଟର (3.41%)। 2021 ତୁଳନାରେ ଏଥିରେ 1445 ବର୍ଗ କିଲୋମିଟର ବୃଦ୍ଧି ଘଟିଛି । ଯାହା ସମଗ୍ର ସମାଜ ପାଇଁ ଯଦିଓ ଖୁସି ଖବର । ମଣିଷ ତାରି ହାତରେ ସୃଷ୍ଟିକୁ ବିନାଶ କରି ଚାଲିଛି । ମନ ଇଚ୍ଛା ଜଙ୍ଗଲ କାଟିବାରୁ ବିଶ୍ୱ ତାପନ ସହ ଅଦିନିଆ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି ।


ଜଙ୍ଗଲ କାଟିଦେଲେ ଜୀବ ଜନ୍ତୁ ପଶୁ ପକ୍ଷୀ ବାସହରା ହୋଇଯିବେ । ଆଇଟି ପାର୍କ କଲେ ଲୋକଙ୍କୁ ନିଯୁକ୍ତି ମିଳିବ । ହେଲେ ନୀରିହ ଜୀବ ଜନ୍ତୁ ଯିବେ କୁଆଡେ । ଆମେ ଜାଣିଛେ ମଣିଷ ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଜରୁରୀ । ଏଥିସହ ପରିବେଶ ସୁରକ୍ଷା ପାଇଁ ଗଛ ଯେତିକି ଦରକାରୀ, ମାନବ ସଭ୍ୟତା ତିଷ୍ଟି ରହିବା ପାଇଁ ଜୀବ ଜନ୍ତୁଙ୍କ ସେତିକି ଆବଶ୍ୟକତା ରହିଛି । ଏବେ ସମୟ ଭାବିବାର...ନହେଲେ ନେଡି ଗୁଡ କହୁଣୀକୁ ବୋହିଗଲେ ସମ୍ଭାଳିବାକୁ କେହିନଥିବେ...

Post a Comment (0)
Previous Post Next Post