ଏ ଦୁନିଆ ହେଉଛି ଗୋଟେ ରଙ୍ଗମଞ୍ଚ । ଏଠି ସମସ୍ତେ ଜଣେଜଣେ ଅଭିନେତା । ହେଲେ ରାତିରେ ଯିଏ ମୁହଁରେ ରଙ୍ଗ ବୋଳି ଆମକୁ ହସାଏ, କନ୍ଦାଏ ଆଉ ରଗାଏ ସିଏ ହେଉଛି ଏ ଦୁନିଆ ପାଇଁ ନାଟୁଆ । ସେଇ ନାଟୁଆ ମାନଙ୍କ ପାଇଁ ଆଜି ଦିନଟିଏ । ମାର୍ଚ୍ଚ ୨୭ ବିଶ୍ୱ ନାଟ୍ୟ ଦିବସ । ଆଦି ଯୁଗରୁ ଆଜି ପର୍ଯ୍ୟନ୍ତ ନାଟକର ସବୁବେଳେ ରହିଛି ପ୍ରାସଙ୍ଗିକତା । କୁହାଯାଏ ଏହି ନାଟ୍ୟ ଶାସ୍ତ୍ରକୁ ପ୍ରଥମେ ବ୍ରହ୍ମା ସୃଷ୍ଟି କରିଥିଲେ । ଋଗ୍ ବଦେରୁ ପାଠ, ଯଜୁର୍ବେଦରୁ ଅଭିନୟ, ଅଥର୍ବ ବେଦରୁ ରସ ଓ ସାମ୍ ବେଦରୁ ଭଙ୍ଗୀ ଆଦିକୁ ନେଇ ନାଟ୍ୟବେଦ ସୃଷ୍ଟି ହୋଇଥିଲା । ଯାହାକୁ ପଞ୍ଚମ ବେଦ ଓ ଗାନ୍ଧର୍ବ ବେଦ ବୋଲି କୁହାଯାଏ । ନାଟକ ହେଉଛି ସମାଜ ପାଇଁ ଆଇନା ଭଳି । ଆଇନା ଯେମିତି ବିନା ଦ୍ୱିଧାରେ ସତକୁ ଦେଖାଏ ଠିକ୍ ସେମିତି ନାଟକ, ପ୍ରତିଟି କାହାଣୀର କେନ୍ଦ୍ର ଆମ ସାମାଜିକ ଘଟଣା ସମୂହ ।
କାହିଁକି ଓ କେବେ ଠାରୁ ମାର୍ଚ୍ଚ ୨୭ ରେ ପାଳନ ହୋଇ ଆସୁଛି ବିଶ୍ୱ ନାଟ୍ୟ ଦିବସ –୧୯୬୧ ମସିହାରୁ ପାଳନ ହୋଇ ଆସୁଛି ନାଟ୍ୟ ରସଗ୍ରାହୀ ରସିକମାନଙ୍କର ରଙ୍କୁଣା ଦିନ ବିଶ୍ୱ ନାଟ୍ୟ ଦିବସ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଟକକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା । ୧୯୬୧ ମସିହାରେ 'ଅର୍ଭୀ କିଭିମା' ବିଶ୍ୱ ନାଟ୍ୟ ଦିବସ ପାଳନ କରାଯିବା ନେଇ ପ୍ରସ୍ତାବ ରଖିଥିଲେ । ନ୍ୟାସନାଲ ଥିଏଟର ଇନଷଷ୍ଟଚ୍ୟୁଟ୍ ପକ୍ଷରୁ ୧୯୬୧ ମସିହାରେ ପ୍ରଥମ ନାଟ୍ୟ ଦିବସ ସ୍ଥାପନା କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ମାର୍ଚ୍ଚ ୨୭ କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଉଛି । ଏହିଦିନ ସାରା ବିଶ୍ୱରେ ବିଭିନ୍ନ ନାଟ୍ୟ ସଂସ୍ଥା ଓ ନାଟ୍ୟ ପ୍ରେମୀଙ୍କ ପକ୍ଷରୁ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ବିଶ୍ୱର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ନାଟକ ଓ ବିଶ୍ୱ ଶାନ୍ତିଉପରେ ନିଜର ସଂଦେଶ ପ୍ରଦାନ କରିଥାନ୍ତି ଓ ଏହି ସଂଦେଶ ବିଶ୍ୱବ୍ୟାପି ପ୍ରେରଣ କରାଯାଇଥାଏ । ୧୯୬୨ ମସିହାରେ ପ୍ରଥମ କରି ଏହି ସଂଦେଶ ପ୍ରଦାନ କରିଥିଲେ ଫ୍ରାନ୍ସର 'ଜୀନ କକଟ୍ୟେୟୁ' ।
ଓଡ଼ିଆ ନାଟକର ଅଭିଯାନ -
ବର୍ତ୍ତମାନର ଆଧୁନିକ ସମୟରେ ନାଟକ ମନୋରଞ୍ଜନ ସହ ବ୍ୟବସାୟୀକରଣ ହୋଇ ସାରିଲାଣି । ହେଲେ ଅତୀତରେ ପାଲା, ଦାସକାଠିଆ, କଣ୍ଢେଇ ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଓ ରାମଲୀଲା ଆଦି ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା । ରଙ୍ଗମଞ୍ଚର ବ୍ୟବସ୍ଥା ନଥିବାରୁୁ ଗାଁ ଦାଣ୍ଡ ଓ ମନ୍ଦିର ଦୁଆରେ ନାଟକ ହେଉଥିଲା । ପରବର୍ତ୍ତୀ ସମୟରେ ନାଟକ ପରିବେଷଣରେ ପରିବର୍ତ୍ତନ ଆସିଥିଲା । ଆଦିନାଟ୍ୟକାର ଜଗମୋହନ ଲାଲାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ରାଧାକାନ୍ତ ରଙ୍ଗମଞ୍ଚ । ଆଉ ୧୮୭୭ ମସିହାରେ ପ୍ରଥମ ଥର ପାଇଁ ମଞ୍ଚସ୍ଥ ହୋଇଥିଲା ନାଟକ ବାବାଜୀ । ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖୋଲିଥିଲା ସ୍ଥାୟୀ ରଙ୍ଗମମଞ୍ଚ ।