ଅର୍ଗସ ବ୍ୟୁରୋ: ବିଶ୍ଵ ଦେଖିବ ଓଡ଼ିଆ ଅସ୍ମିତାର ଝଲକ । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ସେପଟେ ଫାଇନାଲ୍ ହେଲା ପିଏମଙ୍କ ଗସ୍ତ ସୂଚୀ । ୮ରେ ଆସି ୯ରେ ସମ୍ମିଳନୀରେ ହେବେ ସାମିଲ୍ । ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୮ ତାରିଖରେ ଭୁବନେଶ୍ବର ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ୯ରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନ ମନ୍ତ୍ରୀ । ୧୮ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ୮ରେ ରାଜଭବନରେ ରାତ୍ରି ଯାପନ କରିବେ ମୋଦି ।
ବିଶ୍ବ ଦେଖିବ ଓଡ଼ିଆ କଳା, ସଂସ୍କୃତି ଓ ଅସ୍ମିତାର ଝଲକ । ଆସନ୍ତା 8ରୁ 10 ତାରିଖ 3 ଦିନ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି 18ତମ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ରାଜଧାନୀ ଜନତା ମଇଦାନରେ ବଡ଼ ପ୍ରସ୍ତୁତି । ଭିନ୍ନ ଭିନ୍ନ ସଭାଗୃହର ଚାଲିଛି କାମ । ଓଡ଼ିଆ ସାହିତ୍ୟ, ପୋଷାକ, ହ୍ୟାଣ୍ଡିକ୍ରଫ୍ଟ, ହ୍ୟାଣ୍ଡଲୁମର ଛବିର ଗାଥା ମଣ୍ଡନ କରିବ ବିଭିନ୍ନ ସଭାଗୃହ। ପିପିଲିର ଚାନ୍ଦୁଆ ଠାରୁ ଆରମ୍ଭ କରି ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଚକ୍ର ଦେଖିବାକୁ ମିଳିବ ଏହି ସଭାଗୃହରେ । ବିଶ୍ବ ଦେଖିବ ଓଡିଆ ଅସ୍ମିତାର ଅବର୍ଣ୍ଣନୀୟ ଛବି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏଥିରେ ଯୋଗଦେବାକୁ ଥିବା 7000 ପ୍ରବାସୀ ଭାରତୀୟ ଓ 10 ହଜାରରୁ ଅଧିକ ଅତିଥିଙ୍କ ସ୍ବାଗତ ପାଇଁ ବଡ଼ ଆୟୋଜନ କରାଯାଉଛି । ଭୁବନେଶ୍ବର କାନ୍ଥବାଡ଼ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଓଡ଼ିଆ ଅସ୍ମିତାର ଚିହ୍ନ । ପ୍ରବାସୀ ଭାରତୀୟ ସମ୍ମିଳନୀ ସମୟରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ୧୦ଟି ଉତ୍ସବ । ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ବିଭିନ୍ନ ସ୍ଥାନରେ ଫୁଡ୍ ଫେଷ୍ଟିଭାଲ୍ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଶା କଳା, ସଂସ୍କୃତି ଓ ପରମ୍ପରାର ସହ ପ୍ରବାସୀ ଅତିଥି ମାନଙ୍କୁ ପରିଚିତ କରାଇବା ଲାଗି ରାଜ୍ୟ ସରକାର ଅତିଥିଙ୍କୁ ମଠ, ମନ୍ଦିର ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବୁଲାଇବାର ଯୋଜନା ରଖିଛନ୍ତି । ସେହିପରି ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀ ଭୁବନେଶ୍ବରରେ ଟାଇଟ୍ ସିକ୍ୟୁରିଟି କରାଯାଇଛି । ଭିଭିଆଇପିଙ୍କୁ ସୁରକ୍ଷା ଦେବ ସ୍ପେଶାଲ୍ ଫୋର୍ସ । ଡିଜି କ୍ୟାମ୍ପ୍ ଅଫିସରେ ପହଞ୍ଚିଛନ୍ତି ସ୍ପେଶାଲ ଟାକଟିକାଲ୍ ୟୁନିଟ୍ ।
